ଅପରାଜିତା ଷଡ଼ଙ୍ଗୀଙ୍କୁ ସେବାୟତଙ୍କ ଟାର୍ଗେଟ, କହିଲେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ସାଂସଦ

1 min read

ଭୁବନେଶ୍ବର: ଜାତୀୟ ସ୍ମାରକୀ ପ୍ରାଧିକରଣ ବାଇ-ଲ ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀ ଲିଙ୍ଗରାଜ ସେବାୟତ । ପ୍ରେସମିଟ କରି ସାଂସଦଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ସେବାୟତ । କହିଛନ୍ତି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ପରାମର୍ଶ ଓ ସ୍ଥିତି ଅନୁଧ୍ୟାନ କରି ଟିପ୍ପଣୀ ଦେବା କଥା । ମାତ୍ର ସାଂସଦ ଅପରାଜିତା ବିମାନବନ୍ଦରରୁ ଆସି ସିଧାସଳକ ପ୍ରେସ କନଫରେନ୍ସରେ ଯୋଗଦେଲେ । ଏପରିକି କିଛି ବୁଝିନବିଚାରି ଦାୟିତ୍ବହୀନ ମନ୍ତବ୍ୟ ଦେଲେ । ଯାହା ପୁରୁଣା ଭୁବନେଶ୍ବରବାସୀଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି ସେବାୟତ ।

ପ୍ରଶ୍ନ କରିଛନ୍ତି, ଯଦି ଶ୍ରୀମନ୍ଦିର କ୍ଷେତ୍ରରେ ବାଇ-ଲ ଭୁଲ ହୋଇଛି ବୋଲି ପ୍ରତ୍ୟାହାର ହେଲା, ତେବେ ଲିଙ୍ଗରାଜଙ୍କ କ୍ଷେତ୍ରରେ ଅସୁବିଧା କେଉଁଠି ରହିଲା । ବାଇ-ଲ ପ୍ରସ୍ତୁତବେଳେ ସେବାୟତଙ୍କ ସହ ଆଲୋଚନା କରାଯାଇନି । ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା ମଧ୍ୟ ହୋଇନି । ବିଜେପି ସାଂସଦମାନେ ଆଗରୁ କେଉଁଠି ଥିଲେ ? ସମସ୍ତ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ବିଜେପି ସାଂସଦଙ୍କୁ ଡାକିଥିଲେ । ମାତ୍ର ବିଜେପି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ କାହିଁକି ଗଲେନି ? ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ରକଳ୍ପ ବନ୍ଦ କରିବାକୁ ଏହା ଷଡ଼ଯନ୍ତ୍ର ବୋଲି ସେବାୟତ ଅଭିଯୋଗ କରିଛନ୍ତି ।

ଶ୍ରୀଲିଙ୍ଗରାଜ, ଶ୍ରୀ ଅନନ୍ତ ବାସୁଦେବ ଏବଂ ଶ୍ରୀ ବ୍ରହ୍ମେଶ୍ବର ହେଉଛନ୍ତି ଜୀବନ୍ତ ଠାକୁର । କୋଟି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ବାସ । ଲୋକ ପ୍ରତିନିଧି ହିସାବରେ ଯଦି ସାଂସଦ ଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ସହ ଛିଡ଼ା ହୋଇନପାରିଲେ, ତେବେ ଚୁପ ରହିଥିଲେ ଭଲ ହୋଇଥାନ୍ତା ବୋଲି ସେବାୟତ ପରାମର୍ଶ ଦେଇଛନ୍ତି । ତେବେ ସାଂସଦ ବାଇ-ଲ’ ପ୍ରସଙ୍ଗରେ ଲୋକଙ୍କ ସାଥ ନଦେଲେ ମଧ୍ୟ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀଲିଙ୍ଗରାଜ ସେବାୟତ ।

Leave a Reply