ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ; ୪ ମୃତ, ୪ ଗୁରୁତର

ଭୁବନେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ ଓ ମୟୂରଭଞ୍ଜରରେ ଘଟିଛି ଏମିତି ଘଟଣା ।

ନୂଆପଡାର ଖଡିଆଳ ଥାନା କିରିକିଟା ଗାଁରେ ବଜ୍ରପାତ ହୋଇଛି । ଶୌଚ ପାଇଁ ଯାଉଥିବା ବେଳେ ବଜ୍ରପାତରେ ତସିଲ ମାଝୀଙ୍କ ମୃତ୍ଯୁ ଘଟିଛି । ସେହିପରି ପିଙ୍ଗଲ ମାଝୀ ଗୁରୁତର ହୋଇଛନ୍ତି । ନୟାଗଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ବଳଭଦ୍ର ପ୍ରସାଦ ଗଉଡପାଟଣା ଗାଁର ସୁକାନ୍ତି ବେହେରା । ସେ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ଯୁ ଘଟିଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ କୋଇଲିପାଣି ଗାଁରେ ବଜ୍ରପାତରେ ଝିଅର ମୃତ୍ୟୁ ଘଟିଥିବା ବେଳେ, ବାପା ଗୁରୁତର ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଘୁଆ ଗାଁରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତକ ହେଲେ ସନ୍ତୋଷ କୁମାର ବେହେରା । ବଜ୍ରପାତରେ ୨ ଜଣ ମହିଳା ଗୁରୁତର ଆହତ ହୋଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।