spot_img

Latest Posts

୧୧ ଘଣ୍ଟା ପରେ ଖାଦାନରୁ ଉଦ୍ଧାର ହେଲେ ଫସି ରହିଥିବା ୧୪ ଅଧିକାରୀ, ଯାଞ୍ଚ କରିବାକୁ ଯାଇ ଫସିଥିଲେ…

ଝୁନଝୁନ: ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ଥିବା ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖଣିରେ ଅଘଟଣ ଘଟିଛି। ଖଣି ମଧ୍ୟକୁ ଯାଞ୍ଚ ପାଇଁ ଯାଇଥିବା ଅଧିକାରୀ ମାନେ ଲିଫ୍ଟ ଭାଙ୍ଗିବା ପରେ ସେଠାରେ ଫସି ଯାଇଥିଲେ। କିନ୍ତୁ ଦୀର୍ଘ ୧୧ ଘଣ୍ଟାର କସରତ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ପରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜୟପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ତେବେ ଖଣି ଭିତରେ ଫସି ରହିଥିବା ଅଧିକାଂଶ ଲୋକ HCL ଅଧିକାରୀ ଥିଲେ।

ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ଖବର ପାଇ ଏସଡିଆରଏଫ ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଖେତ୍ରି କୋଲିହାନ ଖଣିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଲିଫ୍ଟ ଭାଙ୍ଗିବା ଯୋଗୁଁ ହିନ୍ଦୁସ୍ତାନ କପର ଲିମିଟେଡର ୧୪ ଜଣ ଅଧିକାରୀ ୧୮୦୦ ଫୁଟରୁ ଅଧିକ ଗଭୀରରେ ଫସି ରହିଥିଲେ। ଲିଫ୍ଟକୁ ସପୋର୍ଟ କରୁଥିବା ରଶି ଛିଡିଯିବାରୁ ଏହି ଦୁର୍ଘଟଣା ଘଟିଛି। ଖଣି ଭିତରେ ଫସି ରହିଥିବା ଅଧିକାରୀଙ୍କ ମଧ୍ୟରେ କେସିସି ୟୁନିଟ୍ (ଖେତ୍ରି କପର କମ୍ପ୍ଲେକ୍ସ ୟୁନିଟ୍) ମୁଖ୍ୟ ଜିଡି ଗୁପ୍ତା, ଦିଲ୍ଲୀରୁ ଆସିଥିବା ଭିଜିଲାନ୍ସ ଅଧିକାରୀ ଉପେନ୍ଦ୍ର ପାଣ୍ଡେ, କୋଲିହାନ ଖଣିର ଡେପୁଟି ଜେନେରାଲ ମ୍ୟାନେଜର ଏ.କେ ଶର୍ମା ରହିଥିଲେ।

ଏହି ଖଣିରେ ଫସି ରହିଥିବା ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସାମ୍ବାଦିକ ବିକାଶ ପରେକ, ବିନୋଦ ସିଂ ଶେଖୱାଟ, ଏ.କେ ବାଇରା, ଅର୍ଣ୍ଣବ ଭଣ୍ଡାରୀ, ଯଶୋରଜ ମୀନା, ଭେନେନ୍ଦ୍ର ଭଣ୍ଡାରୀ, ନିରଂଜନ ସାହୁ, କରଣ ସିଂ ଗେହଲୋଟ, ପ୍ରୀତମ ସିଂ, ହର୍ଷୀରାମ ଏବଂ ଭାଗୀରଥ ଅଛନ୍ତି।

ସାମ୍ବାଦିକ ବିକାଶ ପରେକ ଫଟୋଗ୍ରାଫି ଦଳ ସହିତ ଖଣିରେ ପ୍ରବେଶ କରିଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଟିମ୍ ଖଣି ଭିତରକୁ ଯାଞ୍ଚ ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ଲିଫ୍ଟର ଚେନ୍ ଛିଡିବା ଯୋଗୁଁ ଖଣି ଭିତରେ ଥିବା ଅଧିକାରୀମାନେ ୧୮୭୫ ଫୁଟ ଭିତରେ ଫସି ରହିଥିଲେ ।

Latest Posts

Don't Miss