ପ୍ରସବ ଯନ୍ତ୍ରଣା ଆଗରେ ଯମ ହୋଇ ଛିଡ଼ା ହେଲା ଭରା ନଦୀ, ଗର୍ଭରେ ଚାଲିଗଲା କାେମଳ ଜୀବନ

ମାଲକାନାଗିରି: ମାଆ ଡ଼ାକ ଶୁଣିବା ଆଗରୁ ସବୁ ଛଡ଼ାଇ ନେଲା ରାକ୍ଷସ ବନ୍ୟା । ଭରା ନଦୀ ପାଇଁ ହାର ମାନିଲା ଗର୍ଭରୁ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିବା କୋମଳ ଜୀବନ । ଅନ୍ଧାରୀ ଗର୍ଭରୁ ବାହାରି ଆଲୋକର ଦୁନିଆ ଦେଖିବା ଆଗରୁ କୁନି ଜୀବନକୁ ଭସାଇ ନେଇଛି ଭରା ନଦୀ । ଆଉ ସେପଟେ ନିଜ ସନ୍ତାନକୁ ହରାଇ ମାଆର ଆଖିରେ ଭରିଯାଇଛି ଅସରା ଅସରା ଲୁହ । ଏଭଳି ଏକ ଦୃଦୟ ବିଦାର ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ । ବିଜ।ପୁର ଜିଲ୍ଲା ଲଙ୍କାପଲ୍ଲୀ ଗାଁର କରୁଣା ନାମକ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମେଡିକାଲ ଯାଇପାରୁ ନଥିଲେ । କାରଣ ବାଧକ ସାଜିଥିଲା ଭରାନଦୀ ।

ଲଗାଣ ବର୍ଷାରେ ନଦୀ ଫୁଲିବା ସହ ପ୍ରଖର ସ୍ରୋତ ଥିଲା । ମହିଳା ଜଣଙ୍କ ୪ଦିନ ଯନ୍ତ୍ରଣାରେ ଛଟପଟ ହେବାପରେ ଗ୍ରାମବାସୀ ଉପାୟ ଚିନ୍ତା କରିଥିଲେ । ଶେଷରେ ଜୀବନକୁ ବାଜି ଲଗାଇ ମାନବ ଶୃଙ୍ଖଳା କରିବା ସହ ନଦୀର ଉଭୟ ପାର୍ଶ୍ୱରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର୍‌ କରାଇଥିଲେ । ଗ୍ରାମବାସୀଙ୍କ ହାତ ବନି ଥିଲା ଷ୍ଟ୍ରେଚର ।  ମହିଳାଙ୍କ ନଦୀ ପାର କରାଇ ନିକଟସ୍ଥ ଇଡ଼ିମାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା  ।

ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନିଆଯାଇଥିଲା । କିନ୍ତୁ ସେଠାରେ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ଶିଶୁଟିର ଜୀବନ ବଞ୍ଚି ନଥିଲା ।ଜନ୍ମ ହୋଇଥିଲା ମୃତଶିଶୁ । ମାଓବାଦୀଙ୍କ ଯୋଗୁ ସେହି ଅଞ୍ଚଳରେ ପୋଲ ନିର୍ମାଣ ହୋଇପାରୁ ନାହିଁ । ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି  ।

Leave a Reply