ରୋକି ପାରିଲାନି ଅଭାବୀ, ଅନଟନ ସତ୍ତ୍ୱେ ନିଟ୍ ପରୀକ୍ଷାରେ ଆଣିଛନ୍ତି ସଫଳତା

1 min read
Life Story Of Poor Neet Aspirants In Odisha

ଭୁବନେଶ୍ୱର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ l ଏହା ସହ କଠିନ ପରିଶ୍ରମ କଲେ ଲକ୍ଷ୍ୟ ପଥ ବି ବେଶୀ ଦୂର ନୁହେଁ । ଏହାକୁ ବାସ୍ତବତାର ରୂପ ଦେଇଛନ୍ତି କିଛି ଗରିବ ପୁଅ ଝିଅ । ଏହି ତିନି ଜଣ ଗରିବୀର ପାହାଡ଼ ଲଙ୍ଘି ସଫଳ ହୋଇଛନ୍ତି । ନିଟ୍ ପରୀକ୍ଷାରେ ବେଶ୍ ଭଲ ନମ୍ବର ରଖି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

Life Story Of Poor Neet Aspirants In Odisha

ବାଲେଶ୍ୱର ସୋର ଅଞ୍ଚଳର ରମେଶ ସେଠୀ । ବହୁ ଘାତ ଓ ପ୍ରତିଘାତକୁ ଆଡ଼େଇ ଦେଇ ସେ ପରିବାର ଓ ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ବୁଲି ବୁଲି ଫଳ ବିକ୍ରି କରୁଥିବା ବାପା ଶଙ୍କର୍ଷଣଙ୍କ ପାଇଁ ସାଜିଛନ୍ତି ଆଶାର କିରଣ । ବହୁ କଷ୍ଟରେ ଚଳେ ରମେଶଙ୍କ ପରିବାର । ହେଲେ ଏହି ଆର୍ଥିକ ଅନଟନ ରମେଶଙ୍କୁ ଲକ୍ଷ୍ୟ ପଥରୁ ବିଚ୍ୟୁତ୍ କରିପାରିନଥିଲା । ଡାକ୍ତର ହେବାକୁ ରମେଶଙ୍କ ଥିବା ସ୍ୱପ୍ନ ଆଜି ସାକାର ହୋଇଛି । ସେ ନିଟ୍ ପରୀକ୍ଷାରେ ୭୨୦ରୁ ୫୫୬ ମାର୍କ ରଖି ଏଣ୍ଟ୍ରାନ୍ସ ପାସ୍ କରି ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Life Story Of Poor Neet Aspirants In Odisha

ଠିକ୍ ସେହିଭଳି ଡାକ୍ତର ହେବେ ଲଙ୍କା ବିକାଳିଙ୍କ ଅଲିଅଳୀ । ସଂକଳ୍ପ ଓ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଗାଁର ରିମାରାଣୀ ସାହୁ । ଦାରିଦ୍ର୍ୟତା ତାଙ୍କ ଲକ୍ଷ୍ୟପଥରେ କଣ୍ଟା ସାଜିନି । ସବୁ ବାଧାବିଘ୍ନକୁ ପଛରେ ପକାଇ ରିମାରାଣୀ ପାଇଛନ୍ତି ନିଟରେ ସଫଳତା । ସେ ନିଟ୍ ପରୀକ୍ଷାରେ ୬୩୩ ନମ୍ବର ରଖି ସଫଳତା ହାସଲ କରିଛନ୍ତି ।

Life Story Of Poor Neet Aspirants In Odisha

ପଙ୍କରୁ ଫୁଟିଲା ପଦ୍ମ । ଅନୁଗୁଳ ଜିଲ୍ଲାର ଜଙ୍ଗଲ ଘେରା ଗାଁ ମାଧୁପୁର । ନା ଗାଁକୁ ଅଛି ରାସ୍ତା ନା ଗମନାଗମନର ବିଶେଷ ସୁବିଧା । ଗାଁରେ ବିଦ୍ୟୁତ ବି ଅନେକ ସମୟରେ ନଥାଏ । ମୋବାଇଲ ନେଟୱାର୍କ କଥା ତ ନକହିବା ଭଲ । ଏଭଳି ଏକ ମଫସଲ ଗାଁରୁ ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରି ସମଗ୍ର ଗାଁ ସମେତ ଅଞ୍ଚଳ ପାଇଁ କୃତିତ୍ୱ ଅର୍ଜନ କରିଛନ୍ତି କ୍ଷୀରୋଦିନୀ ସାହୁ । ନିଟ୍ ପରୀକ୍ଷାରେ ୬୫୭ ରାଙ୍କ ରଖି ପାରିଛନ୍ତି । ପାଠ ପଢିବା ପାଇଁ ଯିବା ଆସିବା ବେଳେ ଜଙ୍ଗଲୀ ହାତୀ ସହ ଅନେକ ଥର ସେ ମୁହାଁମୁହିଁ ହୋଇଛନ୍ତି । ମୋବାଇଲ ଟାୱାର ନଥିବା ଯୋଗୁଁ ଅନଲାଇନରୁ କିଛି ପଢ଼ିବାକୁ ଚେଷ୍ଟା କଲେ ମଧ୍ୟ ସମ୍ଭବ ହୋଇପାରେ ନାହିଁ । ଶେଷରେ ରାଜଧାନୀର ଜିନ୍ଦଗୀ ଫାଉଣ୍ଡେସନ ପକ୍ଷରୁ ପାଠ ପଢ଼ିବା ପାଇଁ ସୁଯୋଗ ପାଇ ନିଜ ସ୍ୱପ୍ନକୁ ସାକାର କରିଛନ୍ତି କ୍ଷୀରୋଦିନୀ । କୁହାଯାଏ ଇଚ୍ଛା ଶକ୍ତି ଥିଲେ ଆପେ ଆପେ ସଫଳତା ଆସେ । ନା ଅଟକାଇ ପରେ କୌଣସି ବାଧା ନା ବିଘ୍ନ । ଏହି ତିନି ଗରିବ ମେଧାବୀ ଛାତ୍ରଛାତ୍ରୀ ଏହାର ଜ୍ୱଳନ୍ତ ଉଦାହରଣ ।

 

Leave a Reply