ବାୟୁ ପ୍ରଦୂଷଣ କାରଣରୁ ହ୍ରାସ ପାଉଛି ବୟସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବେ ବିଶ୍ୱ ଆଗରେ ଉଭା ହୋଇଛି  । ପ୍ରତିବର୍ଷ ବାୟୁରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି  । ବିଶ୍ୱ ନେତୃତ୍ୱମାନେ ଏହାକୁ ଗମ୍ଭୀରତାର ସହ ନେଇ ପରିବେଶ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି  । ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ଭାରତରେ ଦ୍ରୁତ ଗତିରେ ପ୍ରଦୂଷଣ ମାତ୍ରା ବଢୁଛି  ।

ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ (ଏକ୍ୟୁଏଲଆଇ)ର ଏକ ରିପୋର୍ଟ ଅନୁଯାୟୀ ଉତ୍ତର ଭାରତରେ ରହୁଥିବା ୫୦ କୋଟିରୁ ଅଧିକ ଲୋକ ବାୟୁ ପ୍ରଦୂଷଣ କାରଣରୁ ବୟସ ସୀମା ହ୍ରାସର ଶିକାର ହୋଇପାରନ୍ତି  । ଜୀବନରୁ ୭.୬ ବର୍ଷ ବୟସ ହରାଇପାରନ୍ତି  । ଯଦି ବାୟୁପ୍ରଦୂଷଣ ଏହିଭଳି ଭାବେ ବଢିଚାଲେ ତେବେ ଏହା ମନୁଷ୍ୟ ଜୀବନ ପାଇଁ ବଡ ବିପଦ ପ୍ରମାଣିତ ହୋଇପାରେ । ଚିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତି ନୀତି ସଂସ୍ଥା (ଇପିଆଇସି)ର ଗବେଷକଙ୍କ ମୁତାବିକ ୨୦୧୩ ମସିହାରୁ ସାରା ବିଶ୍ୱରେ ପ୍ରଦୂଷଣ ମାତ୍ରାରେ ୪୪ ପ୍ରତିଶତ ବୃଦ୍ଧି କେବଳ ଭାରତରେ ହୋଇଛି  । ୧୯୯୮ ପରଠୁ ଭାରତର ହାରାହାରି ବାର୍ଷିକ ପ୍ରଦୂଷଣରେ ୬୧.୪ ପ୍ରତିଶତ ବୃଦ୍ଧି ଘଟିଛି  ।

ସେହିପରି ଏକ୍ୟୁଏଲଆଇର ନୂଆ ବିଶ୍ଲେଷଣ ଅନୁସାରେ, ବାୟୁ ପ୍ରଦୂଷଣ ଭାରତୀୟଙ୍କ ଜୀବନ ସୀମାକୁ ୫ ବର୍ଷ ପର୍ଯ୍ୟନ୍ତ କମ୍ କରିଦେଉଛି  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଠାରୁ ବାର୍ଷିକ ହାରାହାରି ବାୟୁ ପ୍ରଦୂଷଣ ଅଧିକ ରହିଛି  । ୬୩ ପ୍ରତିଶତରୁ ଅଧିକ ଜନସଂଖ୍ୟା ସେହିଠାରେ ରହୁଛନ୍ତି ଯେଉଁଠି ଭାରତର ଜାତୀୟ ବାୟୁ ଗୁଣବତ୍ତା ମାନ ୪୦ ଗ୍ରାମ/ଏମ ୩ଠାରୁ ଅଧିକ ଅଛି । ସମସ୍ତଙ୍କୁ ମିଳିମିଶି ପ୍ରଦୂଷଣ ବିରୋଧରେ ଅଧିକ ମଜବୁତର ସହକାରେ ଲଢିବାକୁ ହେବ ବୋଲି ଅନେକ ପରିବେଶବିତ୍ ଆହ୍ୱାନ ଦେଇଛନ୍ତି  ।