ସରିବ ଟନେଲ ଭିତରେ ଜୀବନ ସଂଗ୍ରାମ

ନନ୍ଦିଘୋଷ ବ୍ୟୁରୋ : ସରିବ ଟନେଲ ଭିତରେ ଜୀବନ ସଂଗ୍ରାମ । ଆଜି ଉଦ୍ଧାର ହୋଇପାରନ୍ତି ଶ୍ରମିକ ।  ଆଲୋକ ଦେଖିବେ ୪୧ ଶ୍ରମିକ । ତେବେ ବର୍ତ୍ତମାନ ସୁଦ୍ଧା ଆହୁରି ୧୦ ମିଟର ଖୋଳିବା ବାକିଥିବା ସୂଚନା ମିଳିଛି । ଉତ୍ତରକାଶୀ ସିଲ୍କୟାରା ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ଆଉ କିଛି ଘଣ୍ଟା ପରେ ଶେଷ ହୋଇପାରେ ମିଶନ । ସମସ୍ତଙ୍କୁ ନିରାପଦରେ ଟନେଲ ଭିତରୁ ବାହାର କରିବା ଲାଗି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ହୋଇଛି ବୋଲି କହିଛନ୍ତି ଏନଡିଆରଏଫ ମହାନିର୍ଦ୍ଦେଶକ ଅତୁଲ କରଓ୍ବାଲ । ସେ କହିଛନ୍ତି ଶ୍ରମିକମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ଆଶଙ୍କା ଥିବାରୁ ସେମାନଙ୍କୁ ଷ୍ଟ୍ରେଚରରେ ଅଣାଯିବ । ଟନେଲ ଭିତରକୁ ଯାଇଥିବା ଏନଡିଆରଏଫ ଡାକ୍ତର ଜଣ ଜଣ କରି ସମସ୍ତଙ୍କୁ ବାହାରକୁ ପଠାଇବେ । ଟନେଲ ଭିତରକୁ ପଠାଯାଇଥିବା ୩୨ ଇଞ୍ଚର ପାଇପ ଜରିଆରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ ।

ଶ୍ରମିକଙ୍କ ଲାଗି ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଥିବାବେଳେ ରଖାଯାଇଛି ୪୦ରୁ ଅଧିକ ଆମ୍ବୁଲାନ୍ସ । ପ୍ରସ୍ତୁତ ରହିଛି ହେଲିକପ୍ଟର । ପାଇପରୁ ବାହାରିବା ମାତ୍ରେ ଶ୍ରମିକଙ୍କୁ ନିଆଯିବ ହସ୍ପିଟାଲ । ମେକସିଫ୍ଟ ହସ୍ପିଟାଲ ସମେତ ଏମସ ଋଷିକେଶରେ ବି କରାଯାଇଛି ବ୍ୟବସ୍ଥା । ଦୀର୍ଘ ୧୩ ଦିନ ଧରି ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ଚିନ୍ତା ସୃଷ୍ଟି ହେଲାଣି । ବର୍ତ୍ତମାନ ସୁଦ୍ଧା ମେସିନ ୩ ଥର ଭାଙ୍ଗିବା ଯୋଗୁ ଉଦ୍ଧାର ପ୍ରକ୍ରିୟା ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଗତ ୧୨ ତାରିଖରେ ଟନେଲ ଭୁଶୁଡିବା ପରେ ସାରା ଦେଶରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଏନଡିଆରଏଫ ସମେତ ୧୦ରୁ ଅଧିକ ବିଭାଗର ନନଷ୍ଟପ ରେସ୍କ୍ୟୁ ଅପରେସନ ସଫଳ ହେବା ନେଇ ରହିଛି ଆଶା ।