ସମ୍ବଲପୁର କୋର୍ଟରେ ଓକିଲଙ୍କ ଧସ୍ତାଧସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ, ୧୮ ମାସ ପାଇଁ ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ । ସୋମବାର ସକାଳେ ସମ୍ବଲପୁର କୋର୍ଟରେ ପଶି ଓକିଲଙ୍କ ଧସ୍ତାଧସ୍ତି ଓ ଭଙ୍ଗାରୁଜା ଘଟଣାରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ବାରର୍ ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ୨୯ ଜଣ ଆଇନଜୀବୀଙ୍କ ୧୮ ମାସ ପାଇଁ ଲାଇସେନ୍ସ ରଦ୍ଦ । ଲାଇସେନ୍ସ ରଦ୍ଦ କଲା ବାର କାଉନସିଲ ଅଫ୍ ଇଣ୍ଡିଆ । ଆଜି ଠାରୁ ତତ୍କାଳ ଲାଗୁ ହେବ ସସପେଣ୍ଡ ନିଷ୍ପତ୍ତି । ପ୍ରେସ ଇସ୍ତାହାରରେ ବାର କାଉନସିଲ ଅଫ୍ ଇଣ୍ଡିଆର ସୂଚନା ।

ଅନ୍ୟପକ୍ଷରେ, ସମ୍ବଲପୁରରେ କୋର୍ଟ ଭିତରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । କୋର୍ଟ ପରିସରରେ ଆଜି ୧୪୪ ଧାରା ଲଗାଯିବା ସତ୍ତ୍ବେ ଆଇନଜୀବୀମାନେ କୋର୍ଟ ପରିସରରେ ପଶି ବିଶୃଙ୍ଖଳା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ । ଏପରିକି ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ।

ଏହି ଘଟଣାରେ ଶତାଧିକ ଓକିଲଙ୍କ ନାଁରେ ମାମଲା ରୁଜୁ କରିଛି ସମ୍ବଲପୁର ପୋଲିସ । ଏଫଆଇଆରରେ ୧୧ ଜଣ ଓକିଲଙ୍କ ନାମ ଉଲ୍ଲେଖ ରହିଥିବାବେଳେ ୧୦୦ରୁ ୧୫୦ ଜଣ ଓକିଲଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮ ଓ ୧୪୯ ରେ ମାମଲା ରୁଜୁ ହୋଇଛି । ଆଇନଜୀବୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ଆନ୍ଦୋଳନରତ ଓକିଲଙ୍କ ସହ ଭଦ୍ରୋଚିତ କଥାବାର୍ତ୍ତା କରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ।

ସେମାନଙ୍କୁ ହାଜତରେ ପୂରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ପରିସର ମଧ୍ୟରେ ଭଙ୍ଗାରୁଜା କରିଥିବା ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ସରକାର ଓ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକ ପଡ଼ିଲେ ଆନ୍ଦୋଳନରତ ଓକିଲଙ୍କୁ ଜେଲରେ ପୂରାଇବା ସହ ଚାର୍ଜ ଫ୍ରେମ ହେବା ଯାଏ ସେମାନଙ୍କୁ ଜାମିନ ନଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବେ ବୋଲି ଖଣ୍ଡପୀଠ କହିଥିଲେ ।