ଏପ୍ରିଲରେ ବଜାରକୁ ଆସିବ LIC ଆଇପିଓ

1 min read

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ବଜାରକୁ ଆସିପାରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତିକ୍ଷୀତ ପ୍ରାରମ୍ଭିକ ପବ୍ଲିକ୍‌ ଅଫର(ଆଇପିଓ)। ସମ୍ପ୍ରତି ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପ୍ରଭାବରେ ପୁଞ୍ଜି ବଜାରରେ ଅସ୍ଥିରତା ଲାଗି ରହିଥିବା ହେତୁ ଏହି ଆଇପିଓ ମାର୍ଚ୍ଚରେ ଆସିବା କଷ୍ଟକର । ତେଣୁ ଏହି ଆଇପିଓ ସମ୍ପର୍କରେ ନିରନ୍ତର ଆଲୋଚନା ବଜାରରେ ଜାରି ରହିଛି । ସୋମବାର ଆସିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ସରକାର ଆଇପିଏକୁ ସ୍ଥଗିତ ରଖିପାରନ୍ତି ।

ଗତ ଫେବୃଆରୀରୁ ୟୁକ୍ରେନ୍‌-ଋଷ ଯୁଦ୍ଧ ପରଠାରୁ ବିଶ୍ବ ତଥା ଭାରତୀୟ ଷ୍ଟକ୍ ବଜାରରେ ଅନେକ ଅସ୍ଥିରତା ଦେଖାଦେଇଛି । ବିଦେଶୀ ନିବେଶକଙ୍କ ଭାବନା ଉପରେ ଏହାର ଗଭୀର ପ୍ରଭାବ ପଡିଛି । ମାର୍ଚ୍ଚରେ ସରକାର ଏଲଆଇସି ଆଇପିଓ ପ୍ରବର୍ତ୍ତନ ଉପରେ ପୁନର୍ବିଚାର କରୁଛନ୍ତି । ତେବେ ଏପ୍ରିଲ ମଧ୍ୟ ଭାଗରେ ଏଲଆଇସି ଆଇପିଓ ଲିଷ୍ଟିଂ ବା ତାଲିକା ଭୁକ୍ତ ହେବାର ସମ୍ଭାବନା ରହିଛି ବୋଲି ଜଣେ ସରକାରୀ ଅଧିକାରୀ ରିପୋର୍ଟରେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଆମେ ବଜାର ଉପରେ ତୀକ୍ଷ୍ଣ ନଜର ରଖିଛୁ । ସାମ୍ନାରେ ଦୃଶ୍ୟମାନ ହେଉଥିବା ପରିସ୍ଥିତିକୁ ଦେଖିଲେ, ଠିକ ସମୟରେ ଆଇପିଓ ବଜାରକୁ ଛାଡିବା କଷ୍ଟକର ମନେ ହୁଏ । ଉଲ୍ଲେଖନୀୟ କଥା ହେଉଛି ମାର୍ଚ୍ଚ ୩୧ ପୂର୍ବରୁ ସରକାର ଆଇପିଓ ଆରମ୍ଭ କରିବାକୁ ଯୋଜନା କରିଥିଲେ ।