ମୁମ୍ବାଇ: ଏଲଆଇସି ନିବେଶକଙ୍କୁ ଲାଗିଛି ବଡ ଝଟକା ।  ୮୭୨ ଟଙ୍କାରେ ଲିଷ୍ଟିଂ ହେଲା ଦେଶର ସବୁଠାରୁ ବଡ଼ IPO । ଏନଏସଇରେ ୮୭୨ ଟଙ୍କାରେ ଲିଷ୍ଟିଂ ହୋଇଥିବା ବେଳେ, ବିଏସଇରେ ଆହୁରି କମ୍ ଅର୍ଥାତ୍ ୮୬୭ରେ ଲିଷ୍ଟିଂ ହୋଇଛି । ଏଲଆଇସିର IPO ଦର ୯୦୨ରୁ ୯୪୯ ଟଙ୍କା ଥିଲା । ଆଶା କରାଯାଉଥିଲା ଏଲଆଇସି ୧୦୦୦ ଟଙ୍କା ପରେ ଲିଷ୍ଟିଂ ହେବ । ବଜାରରୁ ଗ୍ରାହକ ଲାଭ ପାଇବେ, କିନ୍ତୁ ସେଭଳି କିଛି ହେଲା ନାହିଁ ।

ଆଜିଠୁ ସେୟାର ମାର୍କେଟରେ ପ୍ରବେଶ କରିଛି ଦେଶବାସୀଙ୍କ ଭରସାର ପ୍ରତୀକ ଭାରତୀୟ ଜୀବନବୀମା ନିଗମ । ମେ’ ୪ରୁ ୯ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏଲଆଇସିର ମାରାଥନ୍ IPO ଇସ୍ୟୁ ସମୟରେ ଘରୋଇ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଏଲଆଇସିର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରି ୨୧ ହଜାର କୋଟି ଟଙ୍କା ଉଠାଇବାକୁ ଯୋଜନା କରିଛନ୍ତି । ଏଥିରେ ୨୨ କୋଟି ସେୟାର ଇସ୍ୟୁ କରାଯାଇଛି ।

ଭାରତରେ ବୀମା କ୍ଷେତ୍ରରେ LICର ସବୁଠାରୁ ଅର୍ଥାତ୍ ୬୬ ପ୍ରତିଶତର ମାର୍କେଟ ସେୟାର ରହିଛି । କଂପାନୀର ୨ ହଜାର ୪୮ଟି ବ୍ରାଞ୍ଚ ଥିବା ବେଳେ ୧୧୩ଟି ଡିଭିଜନାଲ୍ ଅଫିସ ରହିଛି । ୮ଟି ଦେଶରେ ଏହା ମଧ୍ୟ ଅପରେଟ୍ କରୁଛି । କଂପାନୀର ମୂଲ୍ୟ ୬ ଲକ୍ଷ କୋଟି ଟଙ୍କା ସହିତ ଭାରତରେ ପଞ୍ଚମ ସର୍ବବୃହତ୍ କଂପାନୀର ମାନ୍ୟତା ପାଇଛି LIC । ପୂର୍ବରୁ ମଧ୍ୟ SBI କାର୍ଟ, ପେ-ଟିଏମ୍ ଭଳି ସଂସ୍ଥାର IPO ଅପେକ୍ଷା ଲିଷ୍ଟିଂ ନେଗେଟିଭରେ ହୋଇଥିଲା ।