ସ୍ବର୍ଗତ ବିଶ୍ବନାଥ ପଣ୍ଡିତଙ୍କ ସ୍ମୃତିରେ ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ବର: କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ିରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଏବଂ ସମାଜବାଦୀ ନେତା ସ୍ବର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ୍ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଏଠାରେ ନିଜକୁ ପ୍ରସ୍ତୁତ କରିପାରିବେ ଛାତ୍ରଛାତ୍ରୀ । 5T ସଚିବ ଭି.କେ. ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ ଜନସାଧାରଣ ଦେଇଥିଲେ ମତ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ ନିଷ୍ପତ୍ତି । ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧ ହଜାର ଶହେ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ସ୍ୱର୍ଗତ ପଣ୍ଡିତ କଟକ ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ । ସାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ । ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍ଦୁରଙ୍କ ସ୍ୱାର୍ଥ୍ୟର ସୁରକ୍ଷା ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଥିଲେ । ତାଙ୍କ ନାମରେ ଲାଇବ୍ରେରୀ ପ୍ରତିଷ୍ଠା ତାଙ୍କୁ ଉପଯୁକ୍ତ ସମ୍ମାନ ହେବ । ଏହାସହ ଦେଶ ତଥା ରାଜ୍ୟ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ଜନ ସାଧାରଣ ବିଶେଷ କରି ଯୁବ ସମାଜ ଜାଣିବା ସହ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।