ସ୍ବାସ୍ଥ୍ୟ ସୁରକ୍ଷାରେ ରୋଲ ମଡେଲ ନବୀନ ସରକାର, କୁଷ୍ଠ ନିରାକରଣରେ ନେଇଥିଲେ ବିହିତ ପଦକ୍ଷେପ
1 min readଭୁବନେଶ୍ବର: ଆଜି ଜାତୀୟ କୁଷ୍ଠ ନିରାକରଣ ଦିବସ । ଏହି ଅବସରରେ ସ୍ବାସ୍ଥ୍ୟ କ୍ଷେତ୍ରରେ ପୂର୍ବର ନବୀନ ପଟ୍ଟନାୟକ ସରକାର ସମୟର ବଡ଼ ସଫଳତା ଉନ୍ମୋଚନ ହୋଇଛି । ୨୦୨୩-୨୪ ଯାଏଁ କୁଷ୍ଠ ନିରାକରଣରେ ନବୀନ ନେଇଥିଲେ ବିହିତ ପଦକ୍ଷେପ । ଯେଉଁଥି ପାଇଁ ଅନେକ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ହାର କମ୍ ରହିଛି । ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ଆଜି ଗାଁ ଗାଁକୁ ଗଡ଼ିଛି ସଚେତନତା ଗାଡ଼ି ।
ନବୀନଙ୍କ ଶାସନ କାଳରେ ରାଜ୍ୟରେ କମିଥିଲା ନୂଆ କୁଷ୍ଠ ରୋଗୀଙ୍କ ସଂଖ୍ୟା । ରୋଗୀ ଚିହ୍ନଟ ସାଙ୍ଗକୁ ମିଳିଥିଲା ଉତ୍ତମ ଚିକିତ୍ସା ସୁବିଧା । ୨୦୧୯-୨୦ରେ ଚିହ୍ନଟ ହୋଇଥିଲେ ୧୦ ହଜାର ୭୭ କୁଷ୍ଠ ରୋଗୀ । ପୁରୁଣା ସରକାର ସମୟରୁ ଏହି କାର୍ଯ୍ୟକ୍ରମ ଜାରି ଥିବାରୁ ନୂଆ ସରକାର ୨୦୨୪ ଡିସେମ୍ବର ସୁଦ୍ଧା ୬ ହଜାର ୧୯୪ ଜଣ ନୂଆ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ପାରିଛନ୍ତି । ୧୯୮୩ରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୧୨୧.୪ ଜଣ କୁଷ୍ଠ ରୋଗୀ ଥିଲେ । ହେଲେ ୨୦୨୩-୨୪ରେ ସାରା ରାଜ୍ୟରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୧.୪୮ ଜଣ କୁଷ୍ଠ ରୋଗୀ ଚିହ୍ନଟ ହେଲେ । ଏବେ ୧୪ଟି ଜିଲ୍ଲାରେ ଏହି ହାର ପ୍ରତି ୧୦ ହଜାର ଜନସଂଖ୍ୟାରେ ୧ରୁ କମ ରହିଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଗ୍ରେଡ୍ ଦୁଇ ଭିନ୍ନକ୍ଷମ ହାର ୨୦ ଜିଲ୍ଲାରେ ୨ ପ୍ରତିଶତରୁ କମ ଥିବା ନେଇ ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ରିପୋର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ୨୦୨୩-୨୪ରେ ୧୪୬ ଜଣ କୁଷ୍ଠ ରୋଗୀଙ୍କ ରିକନଷ୍ଟ୍ରକଟିଭ୍ ସର୍ଜରୀ କରାଯାଇ ନୂଆ ଜୀବନ ଦିଆଯାଇଛି । ଏହି ସଫଳତାରେ ଆଶା ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କର ରହିଛି ବଡ଼ ଭୂମିକା । ସଚେତନତା ଯୋଗୁଁ ରାଜ୍ୟରେ କୁଷ୍ଠ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାରେ ସୁଫଳ ମିଳିଥିଲା ।
ସେପଟେ ଖୁବଶୀଘ୍ର କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଦିଆଯିବ ମାଗଣା ଟୀକା । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି । ଆଇସିଏମଆର ଏହାର ନୋଡାଲ ଏଜେନ୍ସି ରହିବ । ଏ ଦିଗରେ ଆଇସିଏମଆର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ଭୁବନେଶ୍ବରର ମିଳିତ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରୁ ଆରମ୍ଭ ହୋଇଛି ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ । ଫେବୃଆରୀ ୧୩ ତାରିଖ ଯାଏଁ ଗାଁ ଗାଁରେ ସଚେତନତା ଗାଡ଼ି ବୁଲି ଲୋକଙ୍କୁ ସଚେତନ କରାଇବ ।