୩୫ ହଜାର ଟଙ୍କାରେ ନିଲାମ ହେଲା ଲେମ୍ବୁ

ନନ୍ଦିଘୋଷ ବ୍ୟୁରୋ  : ଗୋଟିଏ ଲେମ୍ବୁର ମୂଲ୍ଯ କେତେ ହୋଇପାରେ। ଟଙ୍କାଏ, ଦୁଇଟଙ୍କା, ପାଞ୍ଚ ଟଙ୍କା; ଅତିବେଶୀରେ ୧୦ ଟଙ୍କା। ହେଲେ ଆମେ ଏପରି ଏକ ଲେମ୍ବୁ କଥା କହୁଛି ଯାହାର ମୂଲ୍ୟ ହୋଇଛି ୩୫ ହଜାର ଟଙ୍କା। ଏ କଥା ମିଥ୍ୟା ଲାଗିଲେ ବି ସମ୍ପୂର୍ଣ୍ଣ ସତ।

ଜାଗରରେ ଏକ ମନ୍ଦିରରେ ଭୋଗ ଲାଗିଥିବା ଲେମ୍ବୁର ଦର ହୋଇଛି ୩୫ ହଜାର ଟଙ୍କା। ତାମିଲନାଡୁର ଶିବଗିରି ଗ୍ରାମରେ ଥିବା ପାଝାପୋସାଇଆଁ ଶିବ ମନ୍ଦିରରେ ଗତ ଶିବରାତ୍ରୀ ପାଳନ ହୋଇଥିଲା ଧୁମଧାମରେ। ତେବେ ପ୍ରାଚୀନ ପରମ୍ପରା ଅନୁସାରେ ସେଠାରେ ଏକ ଲେମ୍ବୁ ସହ ଅନ୍ୟ ଫଳ ବି ପୂଜା ହୋଇଥିଲା।

ଶିବରାତ୍ରୀ ପରେ ଏହି ଲେମ୍ବୁକୁ ନିଲାମ କରାଯିବାର ପରମ୍ପରା ଥିବାରୁ ତାହାକୁ ନିଲାମ କରାଯାଇଥିଲା। ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ ୧୫ ଜଣ ଶ୍ରଦ୍ଧାଳୁ। ହଜାରେ, ଦି ହଜାର ହୋଇ ଶେଷରେ ନିଲାମ ପରିମାଣ ପହଞ୍ଚିଥିଲା ୩୫ ହଜାର ଟଙ୍କାରେ। ନିଲାମ ସରିବା ପରେ ଏହି ଲେମ୍ବୁକୁ ପୂଜାର୍ଚ୍ଚନା କରାଯାଇ ନିଲାମଧାରୀଙ୍କୁ ଫେରାଇ ଦିଆଯାଇଥିଲା। ଏଠାରେ ବିଶ୍ବାସ ରହିଛି,ମହାପ୍ରଭୁଙ୍କ ଏହି ଲେମ୍ବୁକୁ ଯିଏ ନିଲାମ ଧରିବ ସେ ଉତ୍ତମ ସ୍ବାସ୍ଥ୍ଯ ଲାଭ କରିବା ସହ ଧନୀ ହୋଇପାରିବ।