ବଢୁଛି ଲେଖାଶ୍ରୀ-ସନ୍ତୋଷ ବିବାଦ: ସ୍ବାଧୀନ ତଦନ୍ତ ସହ ନୀଳଗିରି ବିଧାୟକଙ୍କ ଗିରଫ ଦାବି

ଭୁବନେଶ୍ବର: ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ରକୁ ନେଇ ସନ୍ତୋଷ ଦେଇଥିବା ବିବାଦୀୟ ବିବୃତି ବିରୋଧରେ ବିଜେଡି ମହିଳା ଟିମ୍ ରାଜ୍ୟ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜ୍ୟ ବିଜେପି ସରକାର ଏଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନଥିବାରୁ, ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଗୁହାରୀ ଜଣାଇଛି ବିଜେଡି । ସନ୍ତୋଷଙ୍କ ଗିରଫଦାରୀ ନେଇ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ଦାବି ପୂରଣ ନ ହେଲେ, ରାଜରାସ୍ତାକୁ ଓହ୍ଲାଇବକୁ ବିଜେଡି ଚେତାବନୀ ଦେଇଛି ।

କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । ଏ ନେଇ ଭୁବନେଶ୍ବର ମହିଳା ଥାନାରେ ବି ମାମଲା ରୁଜୁ ହୋଇଛି । ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ସରକାର ଏ ଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନାହାନ୍ତି । ଯାହାକୁ ନିନ୍ଦା କରି ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜୁ ଜନତା ଦଳ । ବିଜୁ ପଟ୍ଟନାୟକ ମହିଳାଙ୍କ ଅଧିକାର ପାଇଁ ଲଢ଼ିଥିଲେ । ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଇଥିଲେ । ହେଲେ ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବା ବିଜେଡି ଅଭିଯୋଗ କରିଛି । ଲେଖାଶ୍ରୀ ମଧ୍ୟ ନିଜ ସୁରକ୍ଷା ଦାବି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଚାର କରିବେ ବୋଲି କହିଛନ୍ତି । ମହିଳା କମିଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ବି ସେ ନ୍ୟାୟ ଭିକ୍ଷା କରିଛନ୍ତି । ସନ୍ତୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ସେପଟେ ମହିଳାଙ୍କୁ ଅସମ୍ମାନ କରିଥିବା ସନ୍ତୋଷ ଖଟୁଆ ଭୁଲ ସ୍ବୀକାର କରିବାକୁ ନାରାଜ । ଏହି ଘଟଣାକୁ ଅତି ସମ୍ବେଦନହୀନ ଭାବେ ନେଇ ସେ ପୁଣି ବୟାନବାଜି କରିଛନ୍ତି । ହେଲେ କ୍ଷମା ମାଗିବାକୁ ସେ ପ୍ରସ୍ତୁତ ନୁହନ୍ତି । ସନ୍ତୋଷଙ୍କ ବିବାଦୀୟ ବୟାନକୁ ବିଜେପି ନେତା ବି ପସନ୍ଦ କରି ନାହାନ୍ତି । ଦଳ ଭିତରୁ ଓ ବାହାରେ ସନ୍ତୋଷଙ୍କ ଉପରେ ସମସ୍ତେ ଖପ୍ପା ଅଛନ୍ତି । ହେଲେ କେଉଁ ଅଦୃଶ୍ୟ ଶକ୍ତି ବଳରେ ସନ୍ତୋଷ କାହାକୁ ଖାତିର କରୁନାହାନ୍ତି, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।