ମାସ୍କ ପିନ୍ଧିଲେ, ହାତ ଧୋଇ ଗୃହକୁ ପ୍ରବେଶ କଲେ ବିଧାୟକ

1 min read

ଭୁବନେଶ୍ୱର:  ସୋମବାର ଅନୁଷ୍ଠିତ ହୋଇଥିବା ବିଧାନସଭାର ଅସ୍ଥାୟୀ ଅଧିବେଶନରେ ଦେଖିବାକୁ ମିଳିଥିଲା ନିଆରା ଚିତ୍ର । କରୋନା ମୁକାବିଲା ନେଇ ଜନସାଧାରଣଙ୍କୁ ସଚେତନ ଓ ସତର୍କ କରାଉଥିବା ଜନପ୍ରତିନିଧି କରୋନାଠାରୁ ବର୍ତ୍ତିବାକୁ ପାଇଁ ନିଜେ ଆପଣାଇଥିଲେ ପ୍ରତିକାର ବ୍ୟବସ୍ଥା । ବିଧାନସଭା ଅସ୍ଥାୟୀ ଅଧିବେଶନକୁ ଯିବା ପାଇଁ ସେମାନେ ମୁହଁରେ ମାସ୍କ ପିନ୍ଧିଥିଲେ। ହାତକୁ ସାନିଟାଇଜରରେ ଧୋଇ ସେମାନେ ଗୃହ ଭିତରକୁ ପ୍ରବେଶ କରିଥିଲେ। ବିଗିଡ଼ିଥିବା ବାତାବରଣରେ ପ୍ରତିକାର ବ୍ୟବସ୍ଥା ଆପଣେଇ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଅନୁପ୍ରାଣିତ କରିବା ଲକ୍ଷ୍ୟ ରଖିଛନ୍ତି ସଦସ୍ୟ।

ମୁହଁରେ ମାସ୍କ। ଜଣେ ବିଧାୟକ ଅନ୍ୟ ଜଣେ ବିଧାୟକଙ୍କଠାରୁ ୨ ମିଟର ଦୂରରେ ଠିଆ ହୋଇଛନ୍ତି। ଚାଲିଲେ ବି ସମାନ ସାମାଜିକ ଦୂରତା ବଜାୟ ରଖୁଛନ୍ତି । କରୋନା ମୁକାବିଲା ପାଇଁ ଯାହା ସବୁ ପ୍ରତିକାର ବ୍ୟବସ୍ଥା କରାଯାଇଛି, ତାକୁ ପାଳନ କରି ଅଧିବେଶନରେ ବିଧାୟକମାନେ ଯୋଗ ଦେଇଛନ୍ତି। କିଛି ବିଧାୟକଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀ ବି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଆଉ କିଛି ବିଧାୟକ ଚାଲି ଚାଲି ବିଧାନସଭାକୁ ଯାଉଛନ୍ତି। ଯାହା ତାଙ୍କ ସ୍ୱାସ୍ଥ୍ୟ ସମେତ ପରିବଶେ ଅନୁକୂଳ । ପ୍ରବେଶ ପଥରେ ହାତ ଧୋଇ ସେମାନେ ଗୃହ ଭିତରକୁ ଯାଇଥିଲେ।

ଏବେ ବି ଅନେକ ଲୋକ ସଚେତନ ହୋଇ ନାହାନ୍ତି। ଲକ୍‌ଡାଉନ୍‌ ସତ୍ତ୍ୱେ, ଗାଡ଼ି ମୋଟର ବାହାର ରାସ୍ତାରେ ବୁଲୁଛନ୍ତି। ଏପରିକି କିଛି ଲୋକଙ୍କ ମୁହଁରେ ମାସ୍କ ବି ନାହିଁ । ନେତା ସଚେତନ ହେଲେ, ଜନତା ବି ସଚେତନ ହେବେ ବୋଲି ପ୍ରତିକାର ବ୍ୟବସ୍ଥା ଅବଲମ୍ବନ କରିଥିବା ବିଧାୟକଙ୍କ ମତ ।

କରୋନାକୁ ଦଳମତ ନିର୍ବିଶେଷରେ ମୁକାବିଲା କରିବାକୁ ସମସ୍ତ ରାଜନୈତିକ ଦଳ ଆହ୍ଵାନ ଦେଇଛନ୍ତି । ଏହି ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ନେତା ଓ ଜନତାଙ୍କ ସହଯୋଗ ଲୋଡ଼ାଯାଇଛି।

https://nandighoshatv.com/expenditure-approval-bill-pass-in-loka-seba-bhawan-without-problem/

Leave a Reply