ପୁଣି ଅଶାନ୍ତ ଜେଏନୟୁ, ରାମନବମୀରେ ଆମିଷ ଖାଇବାକୁ ନେଇ ରକ୍ତାକ୍ତ ସଂଘର୍ଷ

1 min read

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ଆମିଷ ଖାଇବାକୁ କେନ୍ଦ୍ର କରି ବାମ ଛାତ୍ର ସଂଗଠନ ଓ ଦକ୍ଷିଣପନ୍ଥୀ ଛାତ୍ର ସଂଗଠନର ସଦସ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ରାମନବମୀରେ ଆମିଷ ଖାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ସଂଘର୍ଷରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ର  ଆହତ ହୋଇଛନ୍ତି।  ସଂଘର୍ଷ ପାଇଁ ଉଭୟ ଛାତ୍ରଗୋଷ୍ଠୀ ପରସ୍ପରକୁ ଦାୟୀ କରିଛନ୍ତି ।

ସୂଚନା ଅନୁଯାୟୀ, ରବିବାର କାବେରୀ ହଷ୍ଟେଲ ମେସ୍‌ରେ ନନ୍‌ଭେଜ ପରସା ଯାଇଥିଲା। ରାମନବମୀରେ ଆମିଷ ପରସାଯିବାକୁ ନେଇ ଏବିଭିପି ସଦସ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଏବିଭିପି ଓ ବାମ ସଙ୍ଗଠନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ବାମ ସଙ୍ଗଠନ ଛାତ୍ରଙ୍କ କହିବାନୁଯାୟୀ, କାବେରୀ ହଷ୍ଟେଲରେ କିଛି ଛାତ୍ର ଗତକାଲି ନନଭେଜ ଖାଇବାରୁ ଏବିଭିପି କର୍ମକର୍ତ୍ତା ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଦେଲେ। ଏପରିକି ସେମାନଙ୍କ ଆକ୍ରମଣରେ କିଛି ଛାତ୍ର ଆହତ ହେଲେ।

ଅନ୍ୟପଟେ, ଏବିଭିପି କର୍ମକର୍ତ୍ତାଙ୍କ କହିବାନୁଯାୟୀ,  ରାମନବମୀ ଅବସରରେ କାବେରୀ ହଷ୍ଟେଲରେ ଏକ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୂଜାରେ ବହୁ ସଂଖ୍ୟାରେ ଜେଏନୟୁ ଛାତ୍ର ଯୋଗ ଦେଇଥିଲେ। ଉକ୍ତ ସମୟରେ କିଛି ମୁସଲିମ୍‌ ଛାତ୍ର ଇଫତାର ପାର୍ଟି ମଧ୍ୟ ରଖିଥିଲେ। ସବୁ ଠିକ୍‌ଠାକ ଚାଲିଥିଲା। ଏହି ସମୟରେ କିଛି ବାମ ସଙ୍ଗଠନ ଛାତ୍ର ଆସି ହଷ୍ଟେଲରେ ପୂଜାକୁ ବିରୋଧ କରି ମାରପିଟ ଆରମ୍ଭ କରିଦେଲେ। ଆମିଷ ଖାଦ୍ୟ ସମ୍ପର୍କରେ ପଚରାଯିବାରୁ ଏବିଭିପି ପକ୍ଷରୁ କୁହାଯାଇଛି, କାବେରୀ ହଷ୍ଟେଲରେ ପ୍ରତିଦିନ ଆମିଷ ଖାଦ୍ୟ ପରସା ଯାଏ। ଏହା ଛାତ୍ରଛାତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରେ କିଏ ଖାଇବ ନା ନାହିଁ।

ତେବେ ବିଭିନ୍ନ ଅଭିଯୋଗ ଭିତ୍ତିରେ ପୋଲିସ ଆଇପିସିର ବିଭିନ୍ନ ଧାରାରେ କିଛି ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉଭୟ ପକ୍ଷ ପ୍ରତିନିଧିଙ୍କୁ ପୁଲିସ୍‌ ପଚରାଉଚରା କରୁଛି। ଏବେ ବି ଜେଏନୟୁ ପରିସରରେ ଉତ୍ତେଜନା ଲାଗି ରହିଛି । ତେଣୁ ଜେଏନୟୁ କ୍ୟାମ୍ପସ୍‌ ଗେଟକୁ ବନ୍ଦ କରି ଦିଆଯାଇଛି ଏବଂ ବ୍ୟପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।