ଆସନ୍ତାକାଲି ଦିଲ୍ଲୀରେ ବିରୋଧୀଙ୍କ ମେଗା ସୋ’, ଡିଏମକେ ନେତା ଏମ.କେ ଷ୍ଟାଲିନଙ୍କ ନେୃତୃତ୍ବରେ ଏକାଠି ହେବେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ବିରୋଧୀଙ୍କ ମେଗା ସୋ’ । ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ଏକାଠି ହେବେ ବିରୋଧୀ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ରଣନୀତି କିଛି ଗୁରୁତ୍ବ ବହନ କରୁଛି । ଅଲ୍ ଇଣ୍ଡିଆ ଫେଡେରେସନ ଫର୍ ସୋସିଆଲ ଜଷ୍ଟିସ ପକ୍ଷରୁ ହେଉଥିବା ସମ୍ମିଳନୀ ଅବସରରେ ବିରୋଧୀ ଦଳ ଏକାଠି ହେବେ । ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରମୁଖ ଯୋଗଦେବେ । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜର ପ୍ରତିନିଧି ପଠାଇବା ଅନୁମାନ କରାଯାଉଛି ।

ଏହି ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରିୟେନ, ଆପ୍ ଏମପି ସଞ୍ଜୟ ସିଂ ଓ ବିଆରଏସ ଏମପି କେଶବ ରାଓ ଯୋଗ ଦେବା ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଡିଏମକେର ଏହା ହେବ ଦ୍ବିତୀୟ ବୈଠକ । କିଛିଦିନ ତଳେ ଷ୍ଟାଲିନଙ୍କ ୭୦ତମ ଜନ୍ମବାର୍ଷିକୀରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗଦେଇଥିଲେ ।