୨୦୨୪ ପୂର୍ବରୁ ରଣନୀତି, ଏମକେ ଷ୍ଟାଲିନଙ୍କ ନେୃତୃତ୍ବରେ ଏକାଠି ହେବେ ବିରୋଧୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବିରୋଧୀଙ୍କ ବିଗୁଲ । ୨୦୨୪ ପୂର୍ବରୁ ମେଗା ରଣନୀତି । ଆଜି ଡିଏମକେ ନେତା ଏମକେ ଷ୍ଟାଲିନଙ୍କ ନେୃତୃତ୍ବରେ ଏକାଠି ହେବେ ବିରୋଧୀ । ଅଲଇଣ୍ଡିଆ ଫେଡେରେସନ ଫର ସୋସିଆଲ ଜଷ୍ଟିସ ପକ୍ଷରୁ ହେଉଥିବା ସମ୍ମିଳନୀ ଅବସରରେ ବିରୋଧୀ ଦଳ ଏକାଠି ହେବେ ।

ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରମୁଖ ଯୋଗଦେବେ । ଏହାବ୍ୟତୀତ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରିୟେନ, ଆପ୍ ଏମପି ସଞ୍ଜୟ ସିଂ ଓ ବିଆରଏସ ଏମପି କେଶବ ରାଓ ଯୋଗ ଦେବାର ସମ୍ଭାବନା ରହିଛି ।

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଡିଏମକେର ଏହା ହେବ ଦ୍ବିତୀୟ ବୈଠକ । କିଛିଦିନ ତଳେ ଷ୍ଟାଲିନଙ୍କ ୭୦ତମ ଜନ୍ମ ବାର୍ଷିକୀରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗ ଦେଇଥିଲେ ।