ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ସେପ୍ଟେମ୍ବର ୫ ଗୁରୁ ଦିବସକୁ କଳା ଦିବସ ପାଳିବେ ଅଧ୍ୟାପକ । ଏହାସହ ସେହିଦିନଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଦେଲେ ଚେତାବନୀ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଏନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ସୂଚନା ଦେଇଛି ।

ସଂଘର ସଭାପତି ବିଶ୍ବରଞ୍ଜନ ଦାଶଙ୍କ ସମେତ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ ପରେ ସଙ୍ଘର ଏହି ନିଷ୍ପତ୍ତି ନିଆଯାଇଛି । ଲୋୟର ପିଏମଜିରେ ପାଳନ ହେବ କଳାଦିବସ । ଏଥିରେ ପ୍ରାୟ ୫ ହଜାର ଅଧ୍ୟାପକ ଓ କର୍ମଚାରୀ ସାମିଲ ହେବେ । ୨୦୦୮ରୁ ୨୦୧୮ ମଧ୍ୟରେ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ସରକାରୀ ଅନୁଦାନ ଦେବାକୁ ଦାବି କରିଛି ସଂଘ । ସରକାର ତୁରନ୍ତ ଏହି ଦାବିକୁ ପୂରଣ ନ କଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ସଂଘ ଚେତାବନୀ ଦେଇଛି ।