ଭୁବନେଶ୍ୱର ପିଏମଜିରେ ବେସରକାରୀ ଅଧ୍ୟାପକ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ସରକାରଙ୍କ ପ୍ରତିଶୃତି ପାଣିର ଗାର । ସ୍ବପ୍ନ ଦେଖାଇ ଶାସନକୁ ଆସିଲେ । ଗାଦିରେ ବସିବା ପରେ ସବୁ ଭୁଲିଗଲେ । ଏଭଳି ପ୍ରତାରଣାକୁ ନେଇ ଜୋରଦାର ପ୍ରତିବାଦ କରିଛନ୍ତି ବେସରକାରୀ ଅଧ୍ୟାପକ କର୍ମଚାରୀ । ଗୋଟିଏ ହାତରେ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର। ଅନ୍ୟ ହାତରେ ଜାତୀୟ ପତାକା। ପ୍ରବଳ ଖରାରେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଶିକ୍ଷକ । ଭୁବନେଶ୍ୱର ପିଏମଜି ଠାରେ ରାଜ୍ୟର ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀଙ୍କ ଏଭଳି ରୂପ ଦେଖିବାକୁ ମିଳିଛି । ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କଲେଜରେ ନିଯୁକ୍ତ ଅଧ୍ୟାପକ କର୍ମଚାରୀ ମାନେ ଅନୁଦାନ ଦାବିରେ ପିଏମଜି ଠାରେ କର ବା ମର ସମାବେଶ କରିଛନ୍ତି । ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶରେ ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ଓ ପ୍ରତାରଣାକୁ ଜୋରଦାର ବିରୋଧ କରାଯାଇଛି । ଶତାଧିକ ଅଧ୍ୟାପକ କର୍ମଚାରୀ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ସହ ଧାରଣାରେ ବସିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରିବାକୁ ଅଡ଼ି ବସିଛନ୍ତି ଆନ୍ଦୋଳନରତ ଅଧ୍ୟାପକ କର୍ମଚାରୀ।
ରାଜ୍ୟରେ ପାଠ ପଢା ଓ କଲେଜର ଅନ୍ୟାନ୍ୟ ଗୁରୁ ଦାୟିତ୍ୱର ସିଂହ ଭାଗ ସମ୍ଭାଳୁଛନ୍ତି ଏହି ଅଧ୍ୟାପକ ଅଧ୍ୟାପିକା । ଏପରିକି ବହୁ ବିଷୟର ବିଭାଗୀୟ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ଏବର ସରକାର ପୂର୍ବରୁ ଅବଗତ ଥିବାବେଳେ ସେମାନଙ୍କ ଦାବିକୁ ଯଥାର୍ଥ ବୋଲି ମଧ୍ୟ କହିଥିଲେ । କିନ୍ତୁ ଦାବି ପୂରଣ କରିବା ବଦଳରେ ସମୟ ଗଡାଇ ଚାଲିଛନ୍ତି । ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ଆନ୍ଦୋଳନରତ ଅଧ୍ୟାପକ କର୍ମଚାରୀ । ଏଥର ଦାବି ପୂରଣ ନ ହୁଏ ତାହେଲେ ଆସନ୍ତାକାଲି ଠାରୁ ଆମରଣ ଅନଶନରେ ବସିବାକୁ ସଂଘ ନିଷ୍ପତ୍ତି ନେଇଛି। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ସହ ଗୁଣାତ୍ମକ ପାଠ ପଢ଼ାର କଥା କୁହାଯାଉଛି । କିନ୍ତୁ ଯେଉଁମାନେ ଏହାକୁ ସଫଳ କରାଇବେ ସେମାନେ ରାଜରାସ୍ତାକୁ ଓହ୍ଲାଇଲେ ଏହାର ପ୍ରକୃତ ରୂପାୟନ କିଭଳି ସମ୍ଭବ ବୋଲି ପ୍ରଶ୍ନ ଉଠିଛି ।