ଋଷ-ୟୁକ୍ରେନ ଯୁଦ୍ଧ: ଭୋକରେ ଲେବାନନ ଲୋକ, ଏବେ ଭାରତ ଭରସା

ନୂଆଦିଲ୍ଲୀ: ଋଷ ଆକ୍ରମଣରେ ଛାରଖାର ହେଉଛି ୟୁକ୍ରେନ୍ । ରଣକ୍ଷେତ୍ର ପାଲଟିଛି ୟୁକ୍ରେନ ମାଟି । ଏହି ଯୁଦ୍ଧ ଯେକୌଣସି ସମୟରେ ବିଶ୍ବଯୁଦ୍ଧର ରୂପ ନେଇପାରେ । ଏହା ବିଶ୍ବଯୁଦ୍ଧରେ ପରିଣତ ହେଉ କି ନହେଉ ପ୍ରଭାବ ତ ସାରା ଦୁନିଆକୁ ଭୋଗିବାକୁ ପଡିବ । ଯାହା ଦୃଶ୍ୟମାନ ହେବାରେ ଲାଗିଛି । ଏହି ଯୁଦ୍ଧ କିଛି ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି କରିଛି । ମଧ୍ୟପ୍ରାଚ୍ୟ ଦେଶରେ ଏବେ ଖାଦ୍ୟ ପାଇଁ ହାହାକାର ପଡିଛି । ବିଶେଷ କରି ଯେଉଁ ଦେଶଗୁଡିକ ଋଷ ଓ ୟୁକ୍ରେନ ଖାଦ୍ୟ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି ସେମାନଙ୍କ କଥା ନକହିବା ଭଲ । ଏମିତି ସ୍ଥିତିରେ ଏବେ ଏମାନେ ଭାରତ ଆଡକୁ ନାଚାର ଆଖିରେ ଅନାଇ ବସିଛନ୍ତି । ଏବେ ଏମାନଙ୍କ ଭୋକିଲା ଦେଶବାସୀଙ୍କ ପେଟକୁ ଭାରତ ହିଁ ଦାନା ଯୋଗାଇ ପାରିବ । ଏମିତି କିଛି ସହାୟତାର ଆଶା ନେଇ ଭାରତ ଦୁଆରେ ପହଞ୍ଚିଛି ମଧ୍ୟପ୍ରାଚ୍ୟ ଦେଶ ଲେବାନନ୍ ।

ଲେବାନନ୍ ଆବଶ୍ୟକ ଗହମରୁ ୬୦ ପ୍ରତିଶତ ଋଷ ଓ ୟୁକ୍ରେନରୁ ଆମଦାନୀ କରିଥାଏ । ଏବେ ଏହି ଦୁଇ ଦେଶ ମୁହାଁମୁହିଁ ଅବସ୍ଥାରେ ଥିବାରୁ  ସେଠାରୁ ରପ୍ତାନୀ ବନ୍ଦ ହୋଇଯାଇଛି । ଫଳରେ ଲେବାନନରେ ଘୋର ଖାଦ୍ୟ ସଙ୍କଟ ଦେଖା ଦେଇଛି । ସ୍ଥିତି ଏମିତି ଯେ, ଏଠିକାର ଲୋକେ ଖାଇବାକୁ ମଧ୍ୟ ଠିକରେ ପାଉନାହାନ୍ତି । ଏବେ ଲେବାନନ ଭାରତରୁ ଗହମ ଆମଦାନୀ କରିବାକୁ ଚାହୁଁଛି ।

ତୁର୍କୀ ମିଡିଆ ଅନୁସାରେ, ଲେବାନନର ଅର୍ଥ ଓ ବ୍ୟାପାର ମନ୍ତ୍ରୀ ଅମିନ ସଲାମ ଭାରତୀୟ ରାଜଦୂତ ଡ. ସୋହେଲ ଏଜାଜ ଖାନଙ୍କୁ ଭେଟି ଦେଶରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟ ସମ୍ପର୍କରେ ଅବଗତ କରିବା ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

ଏହି ଆଲୋଚନା ପରେ ଲେବାନନ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ‘ମନ୍ତ୍ରୀ ସଲାମ, ଭାରତୀୟ ରାଜଦୂତ ଏଜାଜ ଖାନଙ୍କୁ ଭେଟିଛନ୍ତି । ଭାରତ ପାଖରେ ପର୍ଯ୍ୟାପ୍ତ ଗହମ ମହଜୁଦ ଅଛି । ଆବଶ୍ୟକ ଅନୁସାରେ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରତିଶ୍ରୁତି ଦେଇଛି ।’

କେବଳ ଭାରତ ନୁହେଁ, ଖାଦ୍ୟାଭାବ ଦୂର କରିବାକୁ ଲେବାନନ୍ ତୁର୍କୀ ସହ ମଧ୍ୟ ସମ୍ପର୍କରେ ରହିଛି । ସୂଚନାଯୋଗ୍ୟ ଲେବାନନ୍ ପ୍ରତିମାସ ୫୦ ହଜାର ଟନ୍ ଗହମ ଆମଦାନୀ କରିଥାଏ । ୟୁକ୍ରେନ ସଙ୍କଟ କାରଣରୁ ଏହା ଆମଦାନୀ କରିହେଉନି ।