ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ତିଗିରିଆରେ ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦ୍ଘାଟିତ

1 min read

ଆଠଗଡ଼ : ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆର ନୂଆସଡ଼କଠାରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ଲର୍ଣ୍ଣିଂ ଟ୍ରି ଏକାଡ଼େମୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହ୍ନରେ ଉଦ୍ଘାଟନ କରିଛନ୍ତି । ନିଜର ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ନୂତନତାର ବାର୍ତ୍ତାବହ । ଘରୋଇ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷାପ୍ରଦାନରେ ବିଶେଷ ସହାୟକ ହେବ । ସୁରେଶ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଗ୍ରାମାଞ୍ଚଳରେ ପିଲାମାନଙ୍କୁ ସହରାଞ୍ଚଳର ଯେ କୌଣସି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହ ସମକକ୍ଷ କରିବା ନିମନ୍ତେ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ଲାଇବ୍ରେରୀ, ଆଧୂନିକ ଦୃଶ୍ୟ-ଶ୍ରାବ୍ୟ ବୈଷୟିକ କୌଶଳ ମାଧ୍ୟମରେ ଶିକ୍ଷା ଆଦି ବ୍ୟବସ୍ଥା ସହ ପ୍ରାୟ ୩୦୦୦ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଛି । ୮୦୦୦ ବିଦ୍ୟାଳୟକୁ ରୂପାନ୍ତରିତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ସରକାରଙ୍କ ପ୍ରଚେଷ୍ଟା ସହ ଘରୋଇ ଉଦ୍ୟମ ମାଧ୍ୟମରେ ତିଗିରିଆ କ୍ଲବ୍ରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରିଥିବାରୁ ପ୍ରତିଷ୍ଠାତା ସେକ୍ ଅବଦୁଲ୍ ଅଜିମ୍ ଏବଂ ତାଙ୍କର ସହଯୋଗୀମାନଙ୍କୁ ଶ୍ରୀ ମହାପାତ୍ର ସାଧୁବାଦ ଜଣାଇଥିଲେ । ଆଠଗଡ଼ର ଉପ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ତିଗିରିଆ ବ୍ଲକ୍ରେ ଏହି ଅନୁଷ୍ଠାନ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନରେ ଏକ ବିଶେଷ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ ।

ଏକାଡ଼େମୀର ପ୍ରତିଷ୍ଠାତା ସେକ୍ ଅବ୍ଦୁଲ ଅଜିମ୍ ସ୍ୱାଗତ ଅବିଭାଷଣ ଦେବା ସହ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟରେ ନର୍ସରୀରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ହେଉଛି । ପ୍ରତି ଶ୍ରେଣୀରେ ୪୦ ଜଣ ଛାତ୍ରଛାତ୍ରୀଙ୍କର ନାମ ଲେଖାଯିବ । ବିଦ୍ୟାଳୟର ୯ ଟି ଶ୍ରେଣୀରେ ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ପାଠ୍ୟକ୍ରମ ଅନୁସାରେ ଶିକ୍ଷା ଗ୍ରହଣ କରିବେ । ଅନ୍ୟତମ ଅତିଥିଭାବେ ଭୁତତ୍ତ୍ଵବିତ୍ ଶ୍ରୀ ସୁରେନ୍ଦ୍ର ନାଥ ଦଳାଇ ବିଦ୍ୟାଳୟର ବିଶେଷତ୍ଵ ସଂପର୍କରେ ଆଲୋକପାତ କରିଥିଲେ । ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ଶିକ୍ଷାପ୍ରେମୀ ବ୍ୟକ୍ତିବିଶେଷ, ବିଦ୍ୟାଳୟରେ ନାମ ଲେଖାଇଥିବା ବା ଲେଖାଇବାକୁ ଥିବା ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ଉଦ୍ଘାଟନୀ ସଭାରେ ଯୋଗଦେଇଥିଲେ ।