ଜାଣନ୍ତୁ ମହାମାରୀ କରୋନା ସମୟରେ ଗର୍ଭବତୀ ମାନେ କିପରି ରଖିବେ ନିଜର ଯତ୍ନ
ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ବେଶି। ସର୍ବୋପରି ଗର୍ଭବତୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହି ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଏ ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁର ସୁରକ୍ଷା ଲାଗି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
୧. ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀଙ୍କୁ ଅତି ଆବଶ୍ୟକ ନ ହେଲେ ଆଦୌ ଘରୁ ବାହାରିବା ଠିକ୍ ନୁହେଁ। ବିଶେଷକରି ନିଜକୁ ଜନଗହଳିଠାରୁ ଦୂରେଇ ରଖିବା ଉଚିତ। ବସ୍ଷ୍ଟାଣ୍ଡ୍, ରେଳ ଷ୍ଟେଶନ ଓ ବିମାନ ବନ୍ଦରକୁ ନ ଯିବା ଭଲ। ଏମିତିକି ସାର୍ବଜନୀନ ଗହଳି ସ୍ଥାନରେ ଯୋଗଦେବା ବି ଠିକ୍ ନୁହେଁ। ଯିବା ନିହାତି ଜରୁରୀ ହେଲେ ମୁହଁ ଓ ନାକରେ ୩ ଲେୟାର ଥିବା ମାସ୍କ ପିନ୍ଧନ୍ତୁ। ତେବେ ସେଠାରେ କୌଣସି ଜିନିଷ ଛୁଇଁବା ଏବଂ ସାଧାରଣ ଜାଗାରେ ପରିବେଷିତ ହେଉଥିବା ଖାଦ୍ୟ ଖାଇବାଠାରୁ ନିଜକୁ ନିବୃତ୍ତ ରଖନ୍ତୁ।
୨. ଗର୍ଭବତୀଙ୍କୁ ଚେକ୍ଅପ୍ ଲାଗି ଡାକ୍ତରଖାନା ଯିବାକୁ ହେଲେ ମାସ୍କ ପିନ୍ଧିବା ସହ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। କାରଣ କରୋନା ରୋଗୀଙ୍କ କାଶ ଏବଂ ଛିଙ୍କ ଦ୍ୱାରା ଡ୍ରପ୍ଲେଟ୍ ସଂକ୍ରମଣ ମାଧ୍ୟମରେ ଲକ୍ଷ ଲକ୍ଷ ଭୂତାଣୁ ସ୍ପ୍ରେଡ୍ ହୋଇ ରୋଗ ଆଶଙ୍କା ବୃଦ୍ଧି କରିଥାଏ। ଗର୍ଭବତୀ ନିଜେ ମଧ୍ୟ କାଶିଲେ, ଛିଙ୍କିଲେ ମୁହଁରେ ରୁମାଲ ବା ଟିସୁ ପେପର ଦେବା ଦରକାର। କିମ୍ବା ବାହାରୁ ଫେରିବା ପରେ ଭଲ ଭାବେ ଧୋଇହେବା ସହ ପିନ୍ଧିଥିବା ପୋଷାକ ସଫା କରିନିଅନ୍ତୁ।
୩. ସାବୁନ କିମ୍ବା ହ୍ୟାଣ୍ଡଓ୍ବାଶ୍ରେ ହାତ ଧୋଇବା ଆବଶ୍ୟକ। ଏମିତିକି କବାଟ ହ୍ୟାଣ୍ଡେଲ, ଟେଲିଫୋନ୍, କମ୍ପ୍ୟୁଟର କିବୋର୍ଡ, ଟେବୁଲ ବା କୌଣସି ଜୈବିକ ପଦାର୍ଥର ସଂସ୍ପର୍ଶରେ ଆସିଲେ ମଧ୍ୟ ହାତ ସଫା କରିବା ଆବଶ୍ୟକ। ମୋବାଇଲ ଫୋନ୍ ଅଧିକ ବ୍ୟବହାର ହେଉଥିବାରୁ ଏହା ସାନିଟାଇଜରରେ ପୋଛିବା ଦରକାର। ପରିବାରରେ ବା ପଡ଼ିଶାରେ କେହି କରୋନା ପ୍ରଭାବିତ ଦେଶରୁ ଫେରିଥାନ୍ତି ତେବେ ସଂକ୍ରମଣର ଆଶଙ୍କା ଦ୍ୱିଗୁଣିତ ହୋଇଯାଏ। ତେଣୁ ଏଭଳି ପରିସ୍ଥିତିରେ ଗର୍ଭବତୀଙ୍କୁ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଆବଶ୍ୟକ।
ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ସାଧାରଣ ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଦେଖାଦିଏ। ରୋଗ ବଢ଼ିଲେ ଅତ୍ୟଧିକ ଜ୍ୱର, କାଶ, ଗଳା ଦରଜ, ଛିଙ୍କ, ନାକରୁ ପାଣି ବୋହିବା, କ୍ଳାନ୍ତି, ମୁଣ୍ଡବ୍ୟଥା, ଦେହ ହାତ ଘୋଳା ବିନ୍ଧା, ବାନ୍ତି ହେବା ବା ଲାଗିବା, ଥକିପଡ଼ିବା, ଶୀତ ଲାଗିବା, ପେଟ ଗୋଳମାଳ, ଝାଡ଼ା ଆଦି ଲକ୍ଷଣ ମାନ ଦେଖାଯାଇଥାଏ। ଯଦିଓ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକଙ୍କଠାରେ ଏଭଳି ସମସ୍ୟା ଦେଖାଦେଉଛି, ତଥାପି ଏଭଳି ଲକ୍ଷଣ ଦେଖାଦେବା ମାତ୍ରେ ଅବହେଳା ନ କରି ମନଇଚ୍ଛା ଔଷଧ ଖାଇବା କିମ୍ବା ଘରୋଇ ଉପଚାର କରିବା ବଦଳରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ଟେଷ୍ଟ କରାଇବା ଆବଶ୍ୟକ।