spot_img

Latest Posts

ଅନାସ୍ଥା ଭୋଟରେ ହାରିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ

ନୟାଗଡ଼: ଅନାସ୍ଥା ଭୋଟରେ ହାରିଲେ ନୟାଗଡ଼ ଜିଲ୍ଲା ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ପଞ୍ଚାୟତର ସମସ୍ତ ୧୫ ଓ୍ବାର୍ଡ ସଭ୍ୟ ସୌମ୍ୟରଞ୍ଜନଙ୍କ ବିରୋଧରେ ମତଦାନ କରିଛନ୍ତି। ଏହି ଅନସ୍ଥା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଥିଲା।

ସୂଚନା ଅନୁଯାୟୀ, ଅନାସ୍ଥାରେ ହାରିବା ସହ ପଦବୀ ହରାଇଛନ୍ତି ସୌମ୍ୟରଞ୍ଜନ। ଗତମାସ ୨ ତାରିଖରେ ଓ୍ବାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚ ସୌମ୍ୟଙ୍କ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ। ସୌମ୍ୟ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ଯ୍ୟାଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ହୋଇଥିଲା।

ଏପରିକି ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ । ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୌମ୍ୟଙ୍କ ପାଖକୁ ନୋଟିସ କରାଯାଇଥିଲା ।

ତେବେ ପୂର୍ବରୁ ଏନେଇ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ସ୍ଥିର କରାଯାଇଛି । ଆସନ୍ତା କାଲି ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ସଭାପତିତ୍ୱରେ ବୈଠକ କରାଯିବା ପାଇଁ କ୍ଷମତା ପ୍ରଦାନ କରାଯାଇଥିଲା । ସମସ୍ତ ୱାର୍ଡ଼ ସଭ୍ୟ ଉପସ୍ଥିତ ରହି ନିଜର ମତଦାନ ସାବ୍ୟସ୍ତ କରିବାକୁ ନୋଟିସରେ ଉଲ୍ଲେଖ ରହିଥିଲା।

ଏଥିସହ ପଢନ୍ତୁ- ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ, ୱାର୍ଡସଭ୍ୟ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ

Latest Posts

Don't Miss