ଆଜି ପଞ୍ଚୁକର ଚତୁର୍ଥ ଦିନ, ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ । ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ । ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମ୍ପର୍ଣ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ବିବିଧ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ମାନେ ବିଭୂଷିତ ହୋଇ ରତ୍ନସିଂହାସନରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେବେ । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ | ତେବେ ସକାଳଧୁପ ନୀତି ସମ୍ପର୍ଣ ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ଆସନ୍ତାକାଲି କାର୍ତ୍ତିକ ପୂର୍ଣମୀ ଅବସରରେ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇଥିବା ସୂଚନା ମିଳିଛି ।