ଯୋଡି ହେବ ଗାଁରୁ ରାଜଧାନୀ, ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା

ଭୁବନେଶ୍ବର: ଆଜି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଲେଖାହେବ ନୂଆ ଅଧ୍ୟାୟ । ଯୋଡି ହେବ ଗାଁରୁ ରାଜଧାନୀ । ଐତିହାସିକ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି ସମେତ ୪ଟି ଜିଲ୍ଲାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ମାଲକାନଗିରି ଜିଲ୍ଲାରୁ ଗଡ଼ିବ ୩୬ଟି ବସ୍ । ଲକ୍ଷ୍ମୀ ଯୋଜନା ଅଧୀନରେ ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ।

ଅନ୍ତଃଜିଲ୍ଲା ଓ ଆନ୍ତଃକ୍ଲଷ୍ଟର ମଧ୍ୟରେ ଯୋଗାଯୋଗ ସୁବିଧା ଉପଲବ୍ଧ କରାଯିବ । ଯୋଜନାରେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଛି । ଏସଏଚଜି ସଦସ୍ୟା ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ କର୍ମକ୍ଷେତ୍ରରେ ନିରାପଦ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା ।

ଯୋଜନା ଅଧିନରେ ହଜାରେରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ । ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରାଯାଇପାରିବ ।