କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

କୋରାପୁଟ: ଗମନାଗମନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ କୋରାପୁଟ ଲେଖିଲା ନୂଆ କାହାଣୀ । ମାର୍ଗଶିର ଗୁରୁବାରରେ କୋରାପୁଟ ଜିଲ୍ଲାରେ ଗଡିଛି ଲକ୍ଷ୍ମୀ ବସ୍ । ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ମିଶାଇ ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳ ଶୁଭାରମ୍ଭ ହୋଇଛି । ପୂର୍ବରୁ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ପରେ ଆଜି କୋରାପୁଟରେ ରାସ୍ତାରେ ଗଡିଛି ଲକ୍ଷ୍ମୀ ବସ । ଏହାଫଳରେ ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତର ୬୩ ଲକ୍ଷ ଲୋକ ଉପକାର ପାଇଲେଣି । କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବା ଦ୍ବାରା ଉପକୃତ ହେବେ ୧୩ ଲକ୍ଷ ଲୋକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ଯୋଜନା ଗାଁ ଲୋକଙ୍କ ପାଇଁ ଆଶୀର୍ବାଦ । ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ଲକ୍ଷ୍ମୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବା ଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସିଏମଓର ଜିଲ୍ଲା ଗସ୍ତବେଳେ ଏହାର ଆବଶ୍ୟକତା ବିଷୟରେ ଅବଗତ ହେବା ପରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ବାରା ଚାଷୀ, ବ୍ୟବସାୟୀ, ଛାତ୍ରଛାତ୍ରୀଙ୍କୁ ବେଶୀ ସୁବିଧା ମିଳିବ । ଏବେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି । ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି । ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଏହି ବିକାଶ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ କୋରାପୁଟ ନୂଆ ବସଷ୍ଟାଣ୍ଡ ପାଇଁ ଜମି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହାକୁ ନିଜର ସମ୍ପତ୍ତି ଭାବି ରକ୍ଷଣାବେକ୍ଷଣା କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଲକ୍ଷ୍ମୀ ବସ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ ବୋଲି କହିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଲକ୍ଷ୍ମୀ ବସ ଯୋଜନାରେ ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା ।