କର୍ଣ୍ଣାଟକରେ ବିଜେପି ଖେଳ ବିଗାଡ଼ିବେ ବିଦ୍ରୋହୀ, ଆଜି ପଦ୍ମ ଛାଡ଼ି ହାତ ଧରିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ଖେଳ ବିଗାଡ଼ିବେ ବିଦ୍ରୋହୀ । ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଚିନ୍ତାରେ ହାଇକମାଣ୍ଡ । କର୍ଣ୍ଣାଟକରୁ ଦିଲ୍ଲୀ ଯାଏଁ ଘମାସାନ । କଂଗ୍ରେସ ମୁହାଁ ଅସନ୍ତୁଷ୍ଟ ନେତା । ଆଜି ଅପରାହ୍ନରେ କଂଗ୍ରେସରେ ମିଶିବେ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଡି । ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ଘରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପିସିସି ସଭାପତି ଡି କେ ଶିବକୁମାର । ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଆସି ସାରିଥିବା ବେଳେ ଦଳ ଭିତରେ ଉଗ୍ର ରୂପ ନେଇଛି ବିଦ୍ରୋହ। ଟିକେଟକୁ ନେଇ ଲଗାତାର ତିନିଦିନ ଧରି ଜାରି ରହିଛି ଇସ୍ତଫା ଶୋ’ । ବିଦ୍ରୋହୀ ନେତାଙ୍କୁ ବୁଝାଇବାକୁ କର୍ଣ୍ଣାଟକରୁ ଦିଲ୍ଲୀ ଯାଏଁ ହଲଚଲ ହେଉଥିବା ବେଳେ ଆଉ ତିନି ତୁଙ୍ଗ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଦଳ ଭିତରେ ଫାଟ ସୃଷ୍ଟି କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ତାଲିକା ସେହି ଫାଟକୁ ବଡ଼ କରିଛି । ବିଧାୟକ ଏମ କୁମାରସ୍ବାମୀ, ନେହରୁ ଓଲେକାର, ଗୁଲିହାଟି ଶେଖର ବିଜେପିରୁ ଇସ୍ତଫା ଦେଇଛନ୍ତି ।

କୁମାରସ୍ବାମୀ ତିନି ଥର ବିଧାୟକ ହୋଇଥିବା ବେଳେ ଏଥର ଦଳ ତାଙ୍କୁ ଟିକେଟ ଦେଇନି । କୁମାରସ୍ବାମୀ ଜଣେ ଦଳିତ ହୋଇଥିବାରୁ ସେ ଜେଡିଏସରେ ଯୋଗଦେଇପାରନ୍ତି ନଚେତ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେପଟେ ଲିଙ୍ଗାୟତ ସମୁଦାୟ ଭୋଟ ବି ବିଜେପି ହାତକୁ ଖସିପାରେ ବୋଲି କୁହାଯାଉଛି । ବିଜେପିର ବିଦ୍ରୋହୀ ନେତାଙ୍କ ମଧ୍ୟରୁ ଅନେକ ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବାରୁ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ସମ୍ପ୍ରଦାୟ ଭୋଟ ବେଶ୍ ପ୍ରଭାବଶାଳୀ । ଲିଙ୍ଗାୟତ ସମୁଦାୟ ହିଁ ରାଜ୍ୟରେ କିଏ ସରକାର ଗଢ଼ିବ ତା’ର ନିର୍ଣ୍ଣୟ କରିଥାନ୍ତି । ୬୭ ବର୍ଷର ଇତିହାସରେ ଗତ ଦୁଇ ଦଶନ୍ଧୀ ହେବ ବିଜେପି ଲିଙ୍ଗାୟତଙ୍କ ସହ ଯୋଡି ହୋଇଥିବା ବେଳେ ଏହାପୂର୍ବରୁ ୪୨ ବର୍ଷ ଧରି କଂଗ୍ରେସ ଓ ଜେଡିଏସ ଲିଙ୍ଗାୟତ ସମୁଦାୟ ସହ ରହିଆସିଛନ୍ତି । ଏବେ କର୍ଣ୍ଣାଟକ ଜନସଂଖ୍ୟାର ୧୮ ପ୍ରତିଶତ ଲିଙ୍ଗାୟତ ସମ୍ପ୍ରଦାୟ । ଏଥର ନିର୍ବାଚନରେ ବି ଲିଙ୍ଗାୟତ ଭୋଟ ବେଶତ ମହତ୍ତ୍ବପୂର୍ଣ୍ଣ । ବିଜେପିରେ ବିଦ୍ରୋହ ଯୋଗୁ କଂଗ୍ରେସ, ଜେଡିଏସ ଲିଙ୍ଗାୟତ ଭୋଟରଙ୍କୁ ମନେଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।