ଦୁଇଦିନ ମଧ୍ୟରେ ଖୋଲିବ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଗୁରମ !

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ଯା ମାମଲାର ୧୬ ଦିନ ପରେ ମୁହଁ ଖୋଲିଛି ପୋଲିସ । ତଦନ୍ତ ଆଗକୁ ବଢିଛି, ଆସନ୍ତା ଦୁଇଦିନ ମଧ୍ଯରେ ବ୍ରହ୍ମପୁର ଏସପି ଗଣମାଧ୍ଯମକୁ ଏନେଇ ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।
ବର୍ତ୍ତମାନ ଲାଷ୍ଟ ଲିଙ୍କରେ ତଦନ୍ତ ଚାଲିଛି । ଖୁବଶୀଘ୍ର ହତ୍ଯାକାରୀ, ଷଡ଼ଯନ୍ତ୍ରକାରୀ ଓ ସେମାନଙ୍କ ମୋଟିଭକୁ ନେଇ ହେବ ଖୁଲାସା । ମାମଲାରେ ଦୁଇଶହରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସନ୍ଦେହରେ ଶତାଧିକ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରାଯାଇଛି । ନିକଟରେ ଡିଜିପି ମଧ୍ଯ ମାମଲାରେ ଅଗ୍ରଗତି ହୋଇଥିବା ସୂଚନା ଦେଇଥିଲେ । ପୋଲିସର ୬ଟି ସ୍ବତନ୍ତ୍ର ଟିମ୍ ଝାଳବୁହା ପରିଶ୍ରମ କରୁଛନ୍ତି । ୯ ଜଣଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛନ୍ତି ।
ଗତକାଲି ସହରର ଜଣେ ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କୁ ଉଠାଇ ନେଇଛି ପୋଲିସ । ଅଟକଙ୍କ ମଧ୍ୟରେ ବ୍ରହ୍ମପୁର ଉପକଣ୍ଠ ତଥା ଅନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀ ହତ୍ୟାକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ଥିବା ବେଳେ ପୋଲିସ ସ୍କାନରରେ ଚର୍ଚ୍ଚିତ ବିଷୋୟୀ ଗ୍ୟାଙ୍ଗର ସର୍ଦ୍ଦାର ରହିଥିବା ଜଣାପଡ଼ିଛି । ଗ୍ୟାଙ୍ଗର ସର୍ଦ୍ଦାର ଫେରାର ଥିବା ସୂଚନା ମିଳିଛି । ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସଷ୍ଟାଣ୍ଡରେ ଥିବା ଭୂପତି ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଯାଉଥିବା ବେଳେ ରାତି ୯ ଟା ୫୮ରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ ।