ଅବହେଳା ମାନିଲେ ଆଇନମନ୍ତ୍ରୀ, କହିଲେ ଭିଡ଼ ନିୟନ୍ତ୍ରଣରେ ପୋଲିସ ବିଫଳ

ନନ୍ଦିଘୋଷ ବ୍ୟୁରୋ: ପୁରୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଅଘଟଣ । ଗୁଣ୍ଡିଚା ମନ୍ଦିର ଆଗରେ ଦଳା ଚକଟାରେ ଚାଲିଗଲା ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଯାହାକୁ ନେଇ ସାରା ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଉଦବେଗ । ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅବହେଳା ପାଇଁ ସେ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ।
ପୃଥ୍ବୀରାଜ କହିଛନ୍ତି ପୋଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଭିଡ଼ ନିୟନ୍ତ୍ରଣ କରିବା ମନ୍ତ୍ରିସ୍ତରୀୟ କମିଟିର ଦାୟିତ୍ବ ନୁହେଁ । ଅବହେଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିବେ ।
ଆଗକୁ ସେ କହିଛନ୍ତି, ରାତି ୧୨ଟା ସୁଦ୍ଧା ମହାପ୍ରଭୁଙ୍କର ନୀତିକାନ୍ତି ସରିବା ପରେ ପହଡ଼ ପଡ଼ିଥିଲା । ଦର୍ଶନ ପାଇଁ କିଛି ଭକ୍ତ ତଳେ ଅପେକ୍ଷା କରି ବସିଥିଲେ । ଆଜି ଭୋରୁ ପହଡ଼ ଫିଟିବା ପରେ ଭକ୍ତଙ୍କ ସୁଅ ଛୁଟିଥିଲା । ଭିଡ଼ ସମୟରେ କିଛି ଭକ୍ତ ପଛପଟୁ ଧକ୍କା ଦେଇଥିଲେ । ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ । ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ଡିଜି ଘଟଣା ସ୍ଥଳରେ ସମୀକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ରଥଯାତ୍ରା ଐତିହାସିକ ହେବ ବୋଲି ରାଜ୍ୟ ବିଜେପି ସରକାର ଡିଣ୍ଡିମ ପିଟୁଥିଲେ । ବୈଠକ ପରେ ବୈଠକ କରି ବାହା ବାହା ଗୋଟାଇଥିଲେ । ହେଲେ, ରଥଯାତ୍ରାରେ ଗୋଟିଏ ପରେ ଗୋଟିଏ ଅଘଟଣରୁ ଏମିତି ଲାଗୁଛି, ସରକାରଙ୍କ ବୈଠକ ପରେ ବୈଠକ କେବଳ ଖାନା ପିନାରେ ଚାଲିଥିଲା । ଘୋଷଯାତ୍ରା ଦିନ ମହାପ୍ରଭୁଙ୍କ ରଥ ନାମକୁ ମାତ୍ର ଟିକେ ଗଡ଼ି ସିଂହଦ୍ବାର ନିକଟରେ ଅଟକି ଯାଇଥିଲା । ଯାହା ରଥଟାତ୍ରା ଇତିହାସରେ ପ୍ରଥମ ଘଟଣା । ଆଉ ଏବେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ଚାଲିଗଲା ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଏମିତି ଘଟଣା କେବେ ବି ଦେଖିବାକୁ ମିଳି ନଥିଲା । ସରକାର ବୈଠକ କରି କ୍ୟାମେରା ଆଗରେ ଡିଣ୍ଡିମ ପିଟିବା ପରିବର୍ତ୍ତେ ଫିଲ୍ଡ ଉପରେ କିଛି କାମ କରିଥିଲେ ଆଜି ଏମିତି ଅଘଟଣକୁ ଏଡାଇ ଯାଇ ପାରିଥାନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି ।