ସ୍ପେନର ଲା ପାମା ଦ୍ବୀପରେ ଭୟଙ୍କର ଆଗ୍ନେୟ ଉଦଗୀରଣ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର

ସ୍ପେନ: ସ୍ପେନର ଲା ପାମା ଦ୍ବୀପରେ ଭୟଙ୍କର ଆଗ୍ନେୟ ଉଦଗୀରଣ। ତରଳ ଲାଭା ପ୍ରବାହ ଜାରି ରହିଥିବାରୁ ୫ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦଗୀରଣ ଯୋଗୁ କିଛି ଘର ବି ନଷ୍ଟ ହୋଇଥିବା ଜଣାପଡିଛି। କୁମ୍ବ୍ରେ ଭିଏଜା ଜାତୀୟ ଉଦ୍ୟାନସ୍ଥିତ କିଛି ଗ୍ରାମର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।
ଗତ ସପ୍ତାହରେ ଏହି ଅଞ୍ଚଳରେ ୨୨ ହଜାରରୁ ଅଧିକ ଥର ମୃଦୁ କମ୍ପନ ଅନୁଭୂତ ହେବା ପରେ ଅଗ୍ନି ଉଦଗୀରଣ ଆରମ୍ଭ ହୋଇଥିଲା ।୧୪୩୦ ମସିହା ପରେ ୧୯୭୧ ମସିହାରେ ଶେଷ ଥର ଲାଗି ଆଗ୍ନେୟ ଉଦଗୀରଣ ହୋଇଥିଲା । ଉତ୍ତପ୍ତ ଲାଭା ପ୍ରବାହିତ ହେବା ସହ ବାୟୁ ମଣ୍ଡଳରେ ଏହାର ପ୍ରଭାବ ପଡିଥିବାରୁ ଚତୁର୍ଦ୍ଦିଗରେ ଆତଙ୍କ ପ୍ରକାଶ ପାଇଥିଲା । ପ୍ରାଣୀ ଉଦ୍ୟାନର କିଛି ଜୀବଜନ୍ତୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।
ତେବେ ଉଦଗୀରଣର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଶତାଧିକ ମିଟର ଉପରକୁ ତରଳ ପଦାର୍ଥ ବିଛୁରିତ ହୋଇଥିଲା । ତରଳ ଲାଭା ନଦୀ ପରି ବିଭିନ୍ନ ଭାଗକୁ ପ୍ରବାହିତ ହୋଇଥିଲା । ଉଦଗୀରଣ ନେଇ ସ୍ପେନ ପ୍ରଧାନମନ୍ତ୍ରୀ ପେଦ୍ରୋ ସାଙ୍କେଜ ସ୍ଥିତିର ସମୀକ୍ଷା କରିଛନ୍ତି । ବିପର୍ଯ୍ୟୟ ରୋକିବା ଲାଗି ସେଠାରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦୂର ଇଲାକାଗୁଡିରେ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।