ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକରେ ଆମ ବ୍ୟାଙ୍କର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨ହଜାର ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି । ଓଡିଶାର ୬ ହଜାର ୭୯୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୪ ହଜାର ୩୭୩ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିଲା । ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦ ଟି ଆମ ବ୍ୟାଙ୍କ ଖୋଲିଥିଲା । ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ସୁବିଧା ମିଳିବ। ଆଜି ବ୍ୟାଙ୍କ ଜନସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି ବୋଲି ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ବ୍ୟାଙ୍କ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ । ସାରା ଦେଶରେ ଏକ ମଡେଲ । ବ୍ୟାଙ୍କ ଗୁଡିକ ହିତାଧିକାରୀଙ୍କୁ ୧୫ ପ୍ରକାର ସେବା ଯୋଗାଇବ । ସମସ୍ତ ସରକାରୀ ସୁବିଧା ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ସେଥିପାଇଁ ମୋ ରାଜ୍ୟର ସବୁ ହିତାଧିକାରୀ ସୁବିଧାରେ ଓ ଠିକ୍‌ ସମୟରେ ତାଙ୍କ ପ୍ରାପ୍ୟ ପାଉଛନ୍ତି । କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ଯେପରି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ଏହି ବ୍ୟାଙ୍କ ଗୁଡିକ ଖୋଲାଯାଇଥିବା କହିଛନ୍ତି ମୁଖ୍ଯମନ୍ତ୍ରୀ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଗାଁମାନଙ୍କରେ ଡିଜିଟାଲ ଭିତ୍ତିଭୂମିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମସ୍ତଙ୍କ ଏକ ମୌଳିକ ଅଧିକାର । ଏକ କଲ୍ୟାଣକାରୀ ରାଜ୍ୟ ଭାବରେ ସମସ୍ତ ନାଗରିକମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବା ମୁଖ୍ୟ ଦାୟିତ୍ୱ । ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ବୁଣାକାର ଓ କଳାକାରମାନଙ୍କ ପେନସନ ଓ ସହାୟତା ନିକଟରେ ବୃଦ୍ଧି କରାଯାଇଛି ।  ଏମାନଙ୍କ ସହିତ ମିଶନ ଶକ୍ତି ମାଆ ମାନେ ମଧ୍ୟ ଏହି ବ୍ୟାଙ୍କ ଜରିଆରେ ସୁବିଧା ପାଇବେ । Odisha Launches 'Ama Bank' Scheme for Financial Inclusion in Unbanked Gram  Panchayats - The News Hashtag

ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶାରିରୀକ ଅକ୍ଷମମାନଙ୍କୁ ସେମାନଙ୍କ ଘର ପାଖରେ ସେବା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବ୍ୟାଙ୍କ ଖୋଲିବାରେ ସହାୟତା କରିଥିବା ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ । ସଶକ୍ତ ଓଡିଶା ଗଠନ କରିବା ଦିଗରେ ସମସ୍ତେ ସମ୍ମିଳିତ ଭାବେ କାର୍ଯ୍ୟ କରିବା ପାଇଁ  ଆହ୍ୱାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ  ସୁଶୀଲ କୁମାର ଲୋହାନୀ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସି.ଜି.ଏମ୍ ଉପସ୍ଥିତ ଥିଲେ ।