ଯୁଦ୍ଧର ୮୭ ଦିନରେ ୟୁକ୍ରେନ କବଳରୁ ଆଜଭୋସ୍ତଲ ଷ୍ଟିଲଓ୍ୱାକ୍ସକୁ ଛଡ଼ାଇ ଆଣିଲା ଋଷ

ମସ୍କୋ: ଯୁଦ୍ଧର ୮୭ ଦିନରେ ଋଷର ବଡ଼ ବିଜୟ । ୟୁକ୍ରେନ କବଳରୁ ଛଡ଼ାଇ ଆଣିଛି ପୋର୍ଟସିଟି ମାରିୟୁପୋଲ ଅନ୍ତର୍ଗତ ଆଜଭୋସ୍ତଲ ଷ୍ଟିଲଓ୍ୱାକ୍ସ । ୧ ମାସର ସଂଘର୍ଷ ପରେ ଶେଷରେ ୟୁକ୍ରେନୀୟ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି ବୋଲି ଦାବି କରିଛି ଋଷ । ତେଣେ ପଶ୍ଚିମ କିବରେ ଏକ ସାମରିକ ଗୋଦାମକୁ ଧ୍ୱଂସ କରିଛି ଋଷ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶୁଭିଛି ଯୁଦ୍ଧ ବିରୋଧୀ ସ୍ୱର । ଅଧିକୃତ ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିନବ ପ୍ରତିବାଦ କରିଛନ୍ତି ଜଣେ ମହିଳା । ପାଦେ ପଛକୁ ହଟିଲା ୟୁକ୍ରେନ ।

ହାତରୁ ଖସିଲା ପୋର୍ଟସିଟି ମାରିୟୁପୋଲ ଅନ୍ତର୍ଗତ ଆଜଭୋସ୍ତଲ ଷ୍ଟିଲଓ୍ୱାକ୍ସ । ବିଶାଳ କାରଖାନା ପରିସର ଉପରେ ଆଧିପତ୍ୟ ବିସ୍ତାର କରିଛି ଋଷ । ଏକ ମାସର ସଂଘର୍ଷ ପରେ ଶେଷରେ ୟୁକ୍ରେନୀୟ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । ପ୍ଲାଣ୍ଟ ପରିସରରେ ପ୍ରାୟ ଅଢେଇ ହଜାର ନାଜି ସମର୍ଥକ ଓ ୟୁକ୍ରେନ ସୈନ୍ୟ ରହି ଋଷ ବିରୋଧରେ ଲଢେଇ ଜାରି ରଖିଥିଲେ । ଗତକାଲି ଶେଷ ପର୍ଯ୍ୟାୟରେ ୫୩୧ ଜଣ ସୈନ୍ୟ ଆତ୍ମସମର୍ପଣ କରିବା ପରେ ବିଧିବଦ୍ଧ ଭାବେ ସେଠାରେ ବିଜୟ ପତାକା ଉଡାଇଛି ଋଷ । ଷ୍ଟ୍ରାଟେଜିକ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ଷ୍ଟିଲପ୍ଲାଣ୍ଟରେ ଆଜୋଭ ରେଜିମେଣ୍ଟର ସୈନ୍ୟମାନେ ପ୍ରାଣମୂର୍ଚ୍ଛା ଲଢେଇ ଜାରି ରଖିଥିଲେ ।

ଷ୍ଟିଲପ୍ଲାଣ୍ଟକୁ ନେଇ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଚାଲିଥିଲା ଘମାଘୋଟ ଯୁଦ୍ଧ । କେବଳ ମାରିୟୁପୋଲ ସହରରେ ପ୍ରାଣ ହରାଇଥିଲେ ୨୦ ହଜାରରୁ ଅଧିକ ନାଗରିକ । ଜୀବନ ଭୟରେ ସହର ଛାଡ଼ିଥିଲେ ପ୍ରାୟ ୫ ଲକ୍ଷ ଲୋକ । ଷ୍ଟିଲପ୍ଲାଣ୍ଟ ଭିତରେ ଥିବା ଅଣ୍ଡରଗ୍ରାଉଣ୍ଡ ସେଲଗୁଡିକୁ ସମ୍ପୂର୍ଣ୍ଣ ସୈନ୍ୟମୁକ୍ତ କରାଯାଇଛି ବୋଲି କହିଛି ଋଷ । ସେପଟେ ପୂର୍ବ ୟୁକ୍ରେନର ଏକ କଲଚରାଲ ସେଣ୍ଟରରେ ଋଷର ଏୟାରଷ୍ଟ୍ରାଇକରେ ଆହତ ହୋଇଛନ୍ତି ଜଣେ ଶିଶୁ ସମେତ ୮ଜଣ । ଲୋଜୋଭାସ୍ଥିତ ହାଉସ ଅଫ କଲଚର ଉପରେ ବର୍ବର ଆକ୍ରମଣ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତେଣେ ପଶ୍ଚିମ କିବର ଜିତୋମିରରେ ଏକ ସାମରିକ ଗୋଦାମକୁ କାଲିବର କ୍ରୁଜ ମିସାଇଲ ଜରିଆରେ ଧ୍ବଂସ କରିଛି ଋଷ । ଏହି ଗୋଦାମରେ ଆମେରିକା ଓ ୟୁରୋପ ପକ୍ଷରୁ ଯୋଗାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଧ୍ୱଂସ ହୋଇଛି । ସେହିପରି ଓଡେଶା ଓ କୃଷ୍ଣସାଗର ନିକଟସ୍ଥ ଏକ ଇନ୍ଧନ ଗୋଦାମ ସମେତ ଏକ ଏସୟୁ ୨୫ ବିମାନ ଓ ୨୫ଟି ଡ୍ରୋନକୁ ଧ୍ୱଂସ କରାଯାଇଛି ବୋଲି ଦାବି କରିଛି ଋଷ ।

ସେପଟେ କାନ୍ସ ରେଡ୍ କାର୍ପେଟରେ ଯୁଦ୍ଧ ବିରୋଧୀ ବାର୍ତ୍ତା । ଋଷିଆର ୟୁକ୍ରେନ ଆକ୍ରମଣ ଓ ଅଧିକୃତ ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମର ଅଭିନବ ପ୍ରତିବାଦ କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ୟୁକ୍ରେନ ଜାତୀୟ ପତାକା ରଙ୍ଗରେ ନିଜ ଶରୀରକୁ ରଙ୍ଗାଇ ଜଣେ ମହିଳା ରେଡ କାର୍ପେଟରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଦୌଡ଼ିବା ପରେ ସେଠାରେ ସୃଷ୍ଟି ହୋଇଥିଲା ହଇଚଇ । ପୂର୍ବରୁ ଋଷ ଅଧିକୃତ ୟୁକ୍ରେନର ଅଞ୍ଚଳରେ ଋଷୀୟ ସୈନ୍ୟମାନେ ଶିଶୁ ଓ ମହିଳାଙ୍କୁ ନିର୍ଯାତନା ଦେଉଥିବା ନେଇ ରାଷ୍ଚ୍ରପତି ଭୋଲୋଦିମିର ଜେଲେନସ୍କି କରିଥିଲେ ଅଭିଯୋଗ ।

ଏଥିସହିତ ପଢ଼ନ୍ତୁ: ୪୦କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ଗାଙ୍ଗୁଲି