ଦୁର୍ଗାପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଟକ: ଆଉ ଦିନକ ପରେ ଦୁର୍ଗାପୂଜା । ଏଥିପାଇଁ କଟକ ସହରର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେଉଁଠି ରଙ୍ଗ କାମ ସରିବା ପରେ ମାଆଙ୍କୁ ପୋଷାକ ଓ ଆଭୂଷଣ ପିନ୍ଧାଇ ସାରିଲେଣି ତ ଆଉ କେଉଁଠି ଚାନ୍ଦିସୁନା ଅଳଙ୍କାର ଚଢାଗଲାଣି । ସେପଟେ କଟକର ନୂଆ 4ଟି ମଣ୍ଡପରେ ଚାନ୍ଦିମେଢ ଗୋଟିଏ ଗୋଟିଏ କରି ଉଦଘାଟନ ହେଉଛି । ଅନ୍ୟପଟେ ପରିବେଶ ଅନୁକୂଳ ଦୁର୍ଗା ପୂଜା ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ର ଛାତ୍ରୀମାନେ ମାଆଙ୍କ ବିଭିନ୍ନ ରୂପର ସୁନ୍ଦର ପେଣ୍ଟିଂ କରି ଡିସିପିଙ୍କୁ ଉପହାର ଦେଇଛନ୍ତି ।

ଦିନକ ପରେ ଧରାବତରଣ କରିବେ ମାଆ । ଷଷ୍ଠୀ ଠାରୁ ଆରମ୍ଭ ହେବ ଦୁର୍ଗାପୂଜା । କଟକରେ ଏବେ ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ରଙ୍ଗ କାମ ସରିବା ପରେ ମାଆଙ୍କୁ ପୋଷାକ ଆଭୂଷଣ ପିନ୍ଧା କାମ ସରିଲାଣି । କେଉଁଠି ଫାଇଭର ମେଢ ଲଗାଇବା କାମ ଚାଲିଛି ତ କେଉଁଠି ଚାନ୍ଦିସୁନା ର ଅଳଙ୍କାର ମେଢରେ ଲଗାଯାଉଛି । ପଞ୍ଚମୀ ସୁଦ୍ଧା ପ୍ରସ୍ତୁତି ସରିଯିବା ନେଇ ଲକ୍ଷ୍ୟ ରଖିଛନ୍ତି ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତା ।

କଟକ ସହରରେ ନୂଆ କରି ଚାନ୍ଦିମେଢ ହୋଇ ଥିବା ମହମଦିଆ ବଜାରର ପୂଜା ମଣ୍ଡପରେ ଚାନ୍ଦିମେଢର ଶୁଭ ଉଦଘାଟନ କରାଯାଇଛି । ଚଳିତବର୍ଷ ସିଲଭରସିଟି ପୂଜାରେ ସାମିଲ ହୋଇଛି ୪ଟି ନୂଆ ଚାନ୍ଦିମେଢ । ତେବେ କଟକରେ ପୂଜାରେ ସ୍ବଚ୍ଛତା ଓ ପରିବେଶ ଅନୁକୂଳ ପୂଜା ପାଇଁ ଛାତ୍ରଛାତ୍ରୀ ଅଭିନବ ଉଦ୍ୟମ କରିଛନ୍ତି । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ର ଛାତ୍ରୀ ନିଜ ହାତରେ ଦେବୀ ଦୁର୍ଗାଙ୍କ ବିଭିନ୍ନ ରୂପର ପେଣ୍ଟିଂ କରି କଟକ ଡିସିପିଙ୍କୁ ଉପହାର ଦେଇ ଅନୁରୋଧ ଜଣାଇଛନ୍ତି ।