ମାଆକୁ ମୁଖାଗ୍ନି ଦେଲାନି ପୁଅ: ଝିଅମାନେ କଲେ ଶେଷକୃତ୍ୟ

ସମ୍ୱଲପୁର: ମାଆ ମୃତ୍ୟୁ ପରେ ପାଖମାଡ଼ିଲାନି ଏକମାତ୍ର ପୁଅ । ମାଆ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତ ଝିଅ ।ସମ୍ବଲପୁରରୁ ଘଟିଛି ଜନମାନସକୁ ଦୋହଲାଇ ଦେଲା ଭଳି ଏହି ଘଟଣା । ସମ୍ବଲପୁରର ସ୍ୱର୍ଗତ ଭୁବନ ସାହୁଙ୍କ ସ୍ତ୍ରୀ ଶ୍ରୀମତି ସାହୁ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ନ ପଚାରିବାରୁ ୧୫ ବର୍ଷ ହେବ ଗୁଜୁରାତି କଲୋନୀରେ ରହୁଥିଲେ ।

ତେବେ ଆଜି ତାଙ୍କର ମୃତ୍ୟୁ ପରେ ପୁଅ ଶେଷ ଦର୍ଶନ ତଥା ମୁଖାଗ୍ନି ଦେବା ପାଇଁ ମଧ୍ୟ ଆସିନଥିଲେ । ଫଳରେ ମାଆର ମୃତ୍ୟୁ ପରେ ଛଳ ଛଳ ଆଖିରେ କୋକୋଇକୁ କାନ୍ଧ ଦେଲେ ଛଅ ଝିଅ ସୁଶୀଲା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା । କଥା ସେତିକିରେ ସରିନି ଛାତିରେ କୋହ ଓ ମନରେ ମାଆ ଚାଲିଯିବାର ଦୁଃଖକୁ ଜାବୁଡ଼ି ଧରି ଛଅ ଝିଅ ମୁଖାଗ୍ନି ଦେଇଛନ୍ତି । ଯାହା ସମାଜ ପାଇଁ ଭଲ ବାର୍ତ୍ତା ଦେଇଛି ।

ପୁତ୍ ନାମକ ନର୍କରୁ ଉଦ୍ଧାର କରିବ ପୁଅ । ବଂଶରକ୍ଷା କରିବା ସହ ମଲାବେଳେ ପୁଅ ମୁଖାଗ୍ନି ଦେଲେ ବାପାମା’ଙ୍କର ସ୍ୱର୍ଗପ୍ରାପ୍ତି ହେବ । ପ୍ରତିବର୍ଷ ପିଣ୍ଡଦାନ କରିବ ପୁଅ । ଏପରି ମନୋଭାବ ଯୋଗୁଁ ସମସ୍ତେ ପୁତ୍ର୍ରପ୍ରାପ୍ତି ଆଶା ରଖିଥାଆନ୍ତି । ହେଲେ ଏପରି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଦେଇଛି ସମ୍ୱଲପୁରର ଏହି ଘଟଣା । ପୁଅ ଯେ କେବଳ ମାଆଙ୍କୁ ମୁଖାଗ୍ନି ଦେବାର ଅଧିକାର ରହିଛି, ତା’ନୁହେଁ ସମୟ ଆସିଲେ ଝିଅ ମଧ୍ୟ ପୁଅର କର୍ତ୍ତବ୍ୟ କରିପାରେ ବୋଲି ପ୍ରମାଣ କରି ଦେଖାଇ ଦେଇଛନ୍ତି । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ସହଯୋଗରେ ମିଳିଛି ରୋଜଗାର: ମହିଳା ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ

Leave a Reply