ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ

ପୁରୀ: ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ବିଶିଷ୍ଟ ବାଗ୍ମୀ, ସାହିତ୍ୟିକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ । ବିଧି ଅନୁସାରେ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯାଇଛି । ପଦ୍ମଶ୍ରୀ ରଜତ କରଙ୍କ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି । ପୂର୍ବରୁ ଭୁବନେଶ୍ବର ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ରଜତ କରଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଗତକାଲି ୮୮ ବର୍ଷ ବୟସରେ ଆଖି ବୁଜିଥିଲେ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ବାଗ୍ମୀ ରଜତ କର । ୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲ୍ଲାରେ ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ମିଳିଥିଲା । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ ।