ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ମନୋରମାଙ୍କ ଶେଷକୃତ୍ୟ
1 min readଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ । ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ଣରେ କରାଯିବ । ଗତକାଲି ସନ୍ଧ୍ୟାରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।
ମନୋରମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ଜଣେ ଶିକ୍ଷାବିତ୍, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡ଼ିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି । ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମାଜର ସମ୍ପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ । ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସାମ୍ବାଦିକା, ଲେଖିକା, ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମନୋରମା ୧୯୩୪ ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଯୁବାବସ୍ଥା ଅତିବାହିତ କରିଥିଲେ ମନୋରମା । ତାଙ୍କ ବାପା ଡକ୍ଟର ରାଧାନାଥ ରଥ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ।