ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କୁ ଅନ୍ତିମ ବିଦାୟ,ପୁଅ ଦେଲେ ମୁଖାଗ୍ନୀ

ପୁରୀ: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଅନ୍ତେଷ୍ଟି କ୍ରିୟା ଶେଷ ହୋଇଛି । ମହାରଥୀଙ୍କର ରବିବାର ସକାଳେ ପରଲୋକ ହୋଇଛି  । ତାଙ୍କ ଶେଷ ଦର୍ଶନ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ତାଙ୍କୁ ଭଲ ପାଉଥିବା ଲୋକେ ସ୍ୱର୍ଗଦ୍ୱାର ପାଖେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ପୁରୀ ସହରରେ ସେ ନିଜ ଛାତ୍ର ଜୀବନ ଓ ରାଜନୈତିକ ଜୀବନ ଅତିବାହିତ କରିଥିବା ହେତୁ ତାଙ୍କୁ ଶେଷ ଥର ଭେଟିବା ପାଇଁ ଯଥେଷ୍ଟ ଜନଗହଳି ହୋଇଥିଲା । ପୁରୀ ଜିଲ୍ଲା ପ୍ରଶାସନ, ବିଜେଡିର ପ୍ରମୁଖ ନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ଣ ହେଲା । ଉଲ୍ଲେଖଯୋଗ୍ୟ ଯେ, ମହାରଥୀଙ୍କ ବିୟୋଗ ରାଜନୈତିକ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମରଶରୀରକୁ ସକାଳୁ ସକାଳୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ନିଆଯିବା ପରେ ସେଠାକୁ ତାଙ୍କ ସମର୍ଥକଙ୍କ ସୁଅ ଛୁଟିଥିଲା ।

ଦଳ ମତ ନିର୍ବିଶେଷରେ ସବୁ ଦଳର ନେତା ତାଙ୍କ ଶେଷ ଦର୍ଶନ ପାଇଁ ଉପସ୍ଥିତ ଥିବା ଦେଖା ଯାଇଥିଲା । ମହାରଥୀଙ୍କ ପାର୍ଥିବ ଶରୀର ପାଖରେ ବସିଥିଲେ ଝିଅ ପଲ୍ଲବୀ, ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରପ୍ରତାପ । ଝିଅ ପଲ୍ଲବୀ ବାପାଙ୍କ ବିୟୋଗରେ ଭାଙ୍ଗିପଡିଥିଲେ । ପାର୍ଥିବ ଶରୀର ପାଖରେ ବସି ଆଖି ଲୁହକୁ ସମ୍ଭାଳି ପାରୁନଥିଲେ । ଶେଷ ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ଆଖିରେ ମଧ୍ୟ ଥିଲା ଶୋକର କଳାବାଦଲ । ପରେ ପରେ ବାସଭବନରୁ ପାର୍ଥିବ ଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ସବୁ ଦଳର ବିଧାୟକ ପ୍ରଦୀପଙ୍କ ପ୍ରାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଥିଲେ । ସେଠାରୁ ବିଜେଡି କାର୍ଯ୍ୟାଳୟ ଯାଇଥିଲା ମହାରଥୀଙ୍କ ମର ଶରୀର । ସେଠାରେ ଅନେକ ନେତା, ମନ୍ତ୍ରୀ ଓ ବିଧାୟକ ତାଙ୍କର ଶେଷ ଦର୍ଶନ କରିଥିଲେ ।

ପରେ ପରେ ପିପିଲିସ୍ଥିତ ତାଙ୍କ ଫାର୍ମ ହାଉସକୁ ନିଆଯାଇଥିଲା ମହାରଥୀଙ୍କ ପାର୍ଥିବ ଶରୀର । ଶହଶହ ସଂଖ୍ୟାରେ ସମର୍ଥକ ଓ ପିପିଲି ବାସୀ ତାଙ୍କ ଶେଷ ଦର୍ଶନ କରିଥିଲେ। ପିପିଲି ବଜାର ଜନ ସମୁଦ୍ର ପାଲଟିଯାଇଥିଲା । କାନ୍ଦିକାନ୍ଦି ତାଙ୍କ ପ୍ରିୟ ନେତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ନିର୍ବାଚନମଣ୍ଡଳୀର ଲୋକ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଦୀପ ମହାରଥୀଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Leave a Reply