ଜନ୍ମମାଟିରେ ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର, ସାନ ଭାଇ ଦେଲା ମୁଖାଗ୍ନି

ନନ୍ଦିଘୋଷ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଏମସରେ ଆଖି ବୁଜିଲେ ସୌମ୍ୟାଶ୍ରୀ । ରାତି ୧୧ଟା ୪୬ରେ ବିୟୋଗ ହୋଇଥିବା ଏମ୍ସ ପକ୍ଷରୁ ଘୋଷଣା କରାଯାଇଛି । ସେଠାରେ ରାତାରାତି ଶବ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ କଡ଼ା ସୁରକ୍ଷାରେ ଗାଁକୁ ନିଆଯାଥିଲା । ଭୋଗରାଇ ପଳାସିଆରେ ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ସାନ ଭାଇ ସୌମ୍ୟାଶ୍ରୀଙ୍କୁ ମୁଖାଗ୍ନି ଦେଇଥିଲେ ।
ନ୍ୟାୟ ଦାବି କରି ବିଫଳ ହେବା ପରେ ଗତ ୧୨ ତାରିଖ ଶନିବାର କଲେଜ ପରିସରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ଯାଶ୍ରୀ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା । ଆତ୍ମାହୁତିରେ ତାଙ୍କ ଶରୀରର ୯୫ ପ୍ରତିଶତ ଜଳି ଯାଇଥିଲା । ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମର ଚେଷ୍ଟା ସତ୍ତ୍ବେ ୧୪ ତାରିଖ ରାତି ୧୧ଟା ୪୬ରେ ତାଙ୍କର ମୃତ୍ୟୁ ଘଟିଥିଲା ।
ରାତି ଅଧିଆ ବ୍ୟବଚ୍ଛେଦକୁ ବିରୋଧ
ତେବେ ରାତି ଅଧରେ ପୋଷ୍ଟମର୍ଟମକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ହଙ୍ଗାମା ହୋଇଥିଲା । ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିଲେ । ଶବ ବ୍ୟବଚ୍ଛେଦ ଗୃହ ଆଗରେ ସେମାନେ ବିକ୍ଷୋଭ କରିବା ସହ ଧାରଣାରେ ବସି ରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏମସକୁ ପୋଲିସ ଛାଉଣି କରାଯାଇଥିଲା । ନିଜେ ଡିସିପି ଜଗମୋହନ ମୀନା ସେଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।
କେହି ଶୁଣିଲେନି ଆକୁଳ ନିବେଦନ
ଇଣ୍ଟିଗ୍ରେଟଡ ବିଏଡ କରୁଥିବା ସୌମ୍ୟାଶ୍ରୀଙ୍କୁ ତାଙ୍କ ଏଚଓଡି ସମୀର ସାହୁ ତାଙ୍କୁ ଫେଭର ମାଗୁଥିବା ବେଳେ ସେ କିନ୍ତୁ ଏହାକୁ ଏଡାଇ ଆସୁଥିଲେ । ସ୍ଥିତି ଏପରି ହେଲା ଯେ, ଶେଷରେ ସେ ବାଧ୍ୟ ହୋଇ ନ୍ୟାୟ ପାଇବା ଲାଗି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସ୍ଥାନୀୟ ସାଂସଦଙ୍କ ନିକଟରେ ଅନୁରୋଧ କରିଥିଲେ । ହେଲେ କେହି ପୀଡ଼ିତାଙ୍କ ଆକୁଳ ନିବେଦନ ଶୁଣି ନଥିଲେ । ଶେଷରେ ସେ ଚରମ ନିଷ୍ପତ୍ତି ନେଇ ନିଜକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।