ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ

କଟକ: ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ସାେମବାର ଦିନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକର ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏପରିକି ସତୀଚଉରାରେ କମିଶନରେଟ୍ ପୋଲିସ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର ଦିଆଯାଇଛି। ଏହି ଖ୍ୟାତାନାମା ସାହିତ୍ୟିକାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

ଉଲ୍ଲେଖଯୋଗ୍ୟ, ୧୧ ନଭେମ୍ବର ୧୯୩୬ରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରି ସାହିତ୍ୟ ଜଗତରେ ପାଦ ଥାପିଥିଲେ । ୧୯୯୨ରେ ଚାକିରି ଜୀବନରୁ ଅବସର ନେବା ପରେ କବିତା, ଗଳ୍ପ, ଉପନ୍ୟାସ ଲେଖାରେ ନିଜକୁ ନିୟୋଜିତ କରିଥିଲେ । ସାମ୍ପ୍ରତିକ ସାମାଜିକ ପରମ୍ପରା, ବ୍ୟକ୍ତି ଚରିତ୍ରକୁ ନେଇ ରଚନା କରିଥିଲେ ଅନେକ ପୁସ୍ତକ ।

୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା ତନ୍ଦ୍ରାହତ ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ତାଙ୍କର ପ୍ରମୁଖ ପୁସ୍ତକ ଗୁଡ଼ିକ ଥିଲା କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ପାଟଦେଇ, ବସ୍ତ୍ର ହରଣ, ଆରୋହଣ, ଇଣ୍ଟରଭିଉ, ଏକାକୀ ପରାଶର, ନବ ତରଙ୍ଗ, ଅନ୍ଧକାରର ଛାଇ, ମଧ୍ୟାନ୍ତର ଇତ୍ୟାଦି । ତାଙ୍କର ପ୍ରମୁଖ ଉପନ୍ୟାସଗୁଡ଼ିକ ହେଲେ ସୀତାର ଶୋଣିତ, ମନସ୍ୱିନୀ, କୁନ୍ତୀ କୁନ୍ତଳା ଶକୁନ୍ତଳା ଇତ୍ୟାଦି । ଦଶନ୍ଧି ଦଶନ୍ଧି ଧରି ତାଙ୍କର ଅନେକ ଗଳ୍ପ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇ ଆସିଥିଲା । ତାଙ୍କ ମୃତ୍ୟୁରେ ସାରା ସାହିତ୍ୟ ଜଗତରେ ଖେଳିଯାଇଛି ଶୋକର ଛାୟା ।