ସରିଲା ପ୍ରଚାର, ଆସନ୍ତାକାଲି ୟୁପିରେ ଶେଷ ପର୍ଯ୍ୟାୟ ନିର୍ବାଚନ

ଲକ୍ଷ୍ନୌ: ସରିଲା ଦୀର୍ଘ ଦୁଇ ମାସର ନିର୍ବାଚନୀ ପ୍ରଚାର । ଆସନ୍ତାକାଲି ୟୁପିରେ ଶେଷ ପର୍ଯ୍ୟାୟ ନିର୍ବାଚନ । କାଲି ୯ଟି ଜିଲ୍ଲାର ୫୪ଟି ଆସନରେ ହେବ ମତଦାନ । ୬୧୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । ଏଥିରେ ରହିଛି ବାରଣାସୀ, ଆଜମଗଡ଼ ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍ ଆସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ହୋଇଥିବାରୁ ଏହା ଉପରେ ରହିଛି ସଭିଙ୍କ ନଜର । ଶେଷ ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ହେବ । ପର୍ଯ୍ୟଟନ ମନ୍ତ୍ରୀ ନିଳକଣ୍ଠ ତିଓ୍ୱାରୀଙ୍କ ସମେତ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ସେପଟେ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ସପାରେ ମିଶିଥିବା କ୍ୟାବିନେଟ୍ ମନ୍ତ୍ରୀ ଦାରା ସିଂ ଚୌହାନଙ୍କ ମଧ୍ୟ କାଲି ଭାଗ୍ୟ ପରୀକ୍ଷା କରିବେ । ସବୁ ଆସନରେ ସମାଜବାଦୀ ପାର୍ଟି ସହ ବିଜେପିର କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ଗତ ନିର୍ବାଚନରେ ଏହି ଅଞ୍ଚଳରେ ଭଲ ପ୍ରଦର୍ଶନ କରିଥିଲା ବିଜେପି । ୨୦୧୭ରେ ଏଠାରେ ବିଜେପି ୨୯ଟି ସିଟ୍ ପାଇଥିବାବେଳେ ସମାଜବାଦୀ ପାର୍ଟିକୁ ମିଳିଥିଲା ୧୧ ଆସନ । ତେବେ ଏଥର ସ୍ଥିତି ବଦଳିବା ସହିତ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଛି ସମାଜବାଦୀ ପାର୍ଟି ।

Leave a Reply