ଆଶା, ଆଶଙ୍କାରେ ପ୍ରିୟାଙ୍କ ଭାଗ୍ୟ: ୟେମେନରେ ମୃତ୍ୟୁଦଣ୍ଡ ନେଇ ବଢୁଛି ଆଶଙ୍କା
ନୂଆଦିଲ୍ଲୀ: କ’ଣ ହେବ ୟେମେନରେ ମୃତ୍ଯୁଦଣ୍ଡାଦେଶ ପାଇଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ଭାଗ୍ୟ । ତଲାଲ ଆବଦୋ ମାହଦି ନାମକ ଜଣେ ୟେମେନ ନାଗରିକଙ୍କୁ ହତ୍ଯା ଅଭିଯୋଗରେ ଗିରଫ ହେବା ସହ ତାଙ୍କ ମୃତ୍ଯୁଦଣ୍ଡାଦେଶକୁ ୟେମେନ ରାଷ୍ଟ୍ରପତି ରାସଦ ଆଲିମି ମଞ୍ଜୁର କରିବା ପରେ ଏହାକୁ ନେଇ ବଢିଛି ଆଶଙ୍କା ।
ପ୍ରିୟାଙ୍କ ମୁକ୍ତି ଲାଗି କେବଳ ଭାରତ ନୁହେଁ, ଅନ୍ୟ ଦେଶ ବି ୟେମେନ ନିକଟରେ ଦାବି କରିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁର ପରେ ଏକ ମାସ ମଧ୍ଯରେ ମୃତ୍ଯୁଦଣ୍ଡ କାର୍ଯ୍ୟକାରୀ ହେବାକୁ ଯାଉଛି । ତଲାଲଙ୍କୁ ହତ୍ଯା କରିଥିବା ଅଭିଯୋଗରେ ୨୦୧୭ରୁ ଜେଲରେ ଅଛନ୍ତି ପ୍ରିୟା । ତାଙ୍କୁ ବଞ୍ଚାଇବା ଲାଗି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜୋରଦାର ଉଦ୍ଯମ ଚାଲିଛି । ପ୍ରିୟାଙ୍କ ମୁକ୍ତି ଲାଗି ୟେମେନ ରାଜଧାନୀ ସାନାକୁ ଯାଇଛନ୍ତି ତାଙ୍କ ମାଆ ୫୭ ବର୍ଷ ବୟସ୍କା ପ୍ରେମ କୁମାରୀ ।
ଗତ ୨୦୧୭ରେ ଏହି ହତ୍ଯା ଅଭିଯୋଗ ଆସିଥିବାବେଳେ ଏକ ନିମ୍ନକୋର୍ଟ ୨୦୨୦ ତାଙ୍କୁ ମୃତ୍ଯୁ ଦଣ୍ଡାଦେଶ ଦେଇଥିଲେ । ଏହା ବିରୋଧରେ ୟେମେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରିବାର । ୨୦୨୩ରେ ମୃତ୍ଯୁ ଦଣ୍ଡାଦେଶକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । ଗତ ଡିସେମ୍ବର ୨୦୨୪ରେ ମୃତ୍ୟୁ ଦଣ୍ଡାଦେଶକୁ ମଞ୍ଜୁର କରିଥିଲେ ରାଷ୍ଟ୍ରପତି ।
ୟେମେନର ନିୟମ ଅନୁସାରେ ଯଦି ମୃତ ବ୍ଯକ୍ତିଙ୍କ ପରିବାର ଦୋଷୀଙ୍କୁ କ୍ଷମା ଦିଅନ୍ତି କିମ୍ବା ସେମାନେ ଦାବି କରିଥିବା ଅର୍ଥ କ୍ଷତିପୂରଣ ଆକାରରେ ମିଳେ ତେବେ ଦୋଷୀଙ୍କୁ ମୁକ୍ତ କରାଯାଇପାରେ । ଏହାସହ ଏହି ପ୍ରକ୍ରିୟାକୁ ସେମାନଙ୍କ ଆଦିବାସୀ ନେତା ବି ମଞ୍ଜୁରୀ ଦେବାର ଆବଶ୍ଯକତା ରହିଛି । ଏହି କ୍ଷତିପୂରଣ ଅର୍ଥକୁ କୁହାଯାଇଥାଏ ବ୍ଲଡ ମନି । ପ୍ରିୟାଙ୍କୁ ମୁକ୍ତ କରିବା ଲାଗ ଭାରତୀୟ ଦୂତାବାସ ପକ୍ଷରୁ ଅବଦୁଲ୍ଲା ଅମିର ନାମକ ଜଣେ ଓକିଲଙ୍କୁ ନିଯୁକ୍ତ କରାଯାଇଛି ।
ମୁକ୍ତି ବାବଦରେ ଭାରତ ସରକାର ୪୦ ହଜାର ଡଲାରର ବ୍ଯବସ୍ଥା କରିଛନ୍ତି । ହେଲେ ମାହିଦଙ୍କ ପରିବାର ପ୍ରାୟ ୪ ଲକ୍ଷ ଡଲାର ଦାବି କରୁଥିବା ସୂଚନା ମିଳିଛି । ଏହି ପରିମାଣ ଭାରତୀୟ ମୁଦ୍ରାରେ ହେବ ପ୍ରାୟ ୩ କୋଟି ୩୪ ଲକ୍ଷ ଟଙ୍କା । ସେପଟେ ସେଭ୍ ନିମିସା ପ୍ରିୟା ଇଣ୍ଟରନ୍ଯାସନାଲ ଆକ୍ସନ କାଉନସିଲ ପକ୍ଷରୁ ମଧ୍ଯ ପ୍ରିୟାଙ୍କ ମୁକ୍ତି ଲାଗି ଅଭିଯାନ ଜାରି ରହିଛି । ତେଣେ ପ୍ରିୟାଙ୍କ ମୁକ୍ତି ଲାଗି ଆଗେଇ ଆସିଛି ଇରାନ । ୟେମେନ ରାଜଧାନୀ ସାନା ସମେତ ଅନ୍ଯାନ୍ୟ ଅଞ୍ଚଳକୁ କାବୁ କରି ରଖିଛନ୍ତି ହୌଥି ବିଦ୍ରୋହୀ । ଭାରତ ସହ ସମ୍ପର୍କ ବୃଦ୍ଧି ଲକ୍ଷ୍ଯ ରଖି ପ୍ରିୟାଙ୍କ ମୁକ୍ତି ଲାଗି ଆଗଭର ହୋଇଛି ଇରାନ ।