ଚୀନର ମେଗା ମିଲିଟାରୀ ଏକ୍ସରସାଇଜର ଶେଷ ଦିନ, ତାଇଓ୍ବାନ ଉପରେ ଉଡାଇଲା ଯୁଦ୍ଧ ବିମାନ

1 min read

ଚୀନ: ଚୀନର ମେଗା ମିଲିଟାରୀ ଏକ୍ସରସାଇଜର ଶେଷ ଦିନ। ତାଇଓ୍ବାନ ଉପରେ ଓ୍ବାରପ୍ଲେନ ଉଡିବା ସହ ଦ୍ବୀପଦେଶ ଚାରିପାଖେ ଘେରିଛନ୍ତି ୧୧ରୁ ଅଧିକ ଯୁଦ୍ଧଜାହାଜ । ଗତକାଲି ତାଇଓ୍ବାନର କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ଚୀନ ଷ୍ଟ୍ରାଇକ କରିଥିବା ବେଳେ ଆଜି ତାଇଓ୍ବାନକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିଛି ଚୀନ । ତାଇଓ୍ବାନର ବୈଗାନ ଦ୍ବୀପ ଚାରିପାଖକୁ ବି ଚୀନ କରିଛି ଘେରାବନ୍ଦୀ । ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଦ୍ବୀପରେ ଆତଙ୍କ ପ୍ରକାଶ ପାଇଛି ।

ଏହି ଡ୍ରିଲରେ ଚୀନ ପକ୍ଷରୁ ମୁତୟନ ହୋଇଛି J-16 ଓ J-10C ଫାଇଟର ଜେଟ। ସ୍ବଳ୍ପ ଓ ଦୂରଗାମୀ ମିସାଇଲ ପରିବହନ କରିବାର କ୍ଷମତା ହାସଲ କରିଛନ୍ତି ଏହି ଦୁଇ ଜେଟ। ଏହି ଡ୍ରିଲରେ ବି ସାମିଲ ହୋଇଛି KJ-500 ଅତ୍ୟାଧୁନିକ ସର୍ଭେଲାନ୍ସ ବିମାନ। ଏହାର 360 ଡିଗ୍ରୀ ରାଡାର କଭରେଜ ରହିଥିବା ସୂଚନା ମିଳିଛି । ସମୁଦ୍ରରେ ବି ମୁତୟନ ହୋଇଛି Y-8 ବୁଡାଜାହାଜ ବିଧ୍ବଂସୀ ବିମାନ ଏବଂ YJ-12B, DF-11 ଓ DF-15 ଯୁଦ୍ଧଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ।

ମୁତୟନ ହୋଇଥିବା ଯୁଦ୍ଧଜାହାଜ ମଧ୍ୟରେ ରହିଛି 052C ଡେଷ୍ଟ୍ରୟର ଓ 054A ଫ୍ରିଗେଟ। ତାଇଓ୍ବାନର ପ୍ରତିରକ୍ଷା ବିଷୟକ କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥଳୀ ଉପରେ ଚୀନ ଯୁଦ୍ଧବିମାନ ଉଡିବା ଦେଖାଯାଇଛି । ତାଇପେଇରୁ ୧୯୦ କିଲୋମିଟର ଦୂର ମାତସୁ ଦ୍ବୀପକୁ ଟାର୍ଗେଟରେ ରଖାଯାଇଛି। ଲାଇଭ ଫାୟାର ଡ୍ରିଲକୁ ନେଇ ତାଇଓ୍ବାନରେ ଖେଳିଛି ଆତଙ୍କ ।

ଗତକାଲି ତାଇଓ୍ବାନ ଆକାଶରେ ୭୦ରୁ ଅଧିକ ଯୁଦ୍ଧବିମାନ ଉଡିବା ସହ ୧୧ଟି ଯୁଦ୍ଧଜାହାଜ ମୁତୟନ ହୋଇଥିଲା ବୋଲି କହିଛି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ । ଗତ ସପ୍ତାହରେ ତାଇଓ୍ବାନ ଜଳ ଓ ଆକାଶ ସୀମାରେ ଚୀନର ଯୁଦ୍ଧଜାହାଜ, ଯୁଦ୍ଧ ବିମାନ, ଡ୍ରୋନ, ଫାଇଟର ଜେଟ, ବମ୍ବର, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ୧୫୦ରୁ ଅଧିକ ଥରେ ପ୍ରବେଶ କରିଥିବା ସୂଚନା ମିଳିଛି।