୨୦୨୪ ଶେଷଦିନରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ
ପୁରୀ: ୨୦୨୪ ମସିହାରେ ଆଜି ଶେଷ ଦିନ । ଆସନ୍ତାକାଲି ଇଂରାଜୀ ନୂଆବର୍ଷର ପ୍ରଥମ ଦିନ । ଆଜି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଆସନ୍ତାକାଲି ଆହୁରି ଅଧିକ ଭକ୍ତ ଆସିବେ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତ ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ପଟେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ଅନ୍ୟ ତିନି ଦ୍ୱାରର ପ୍ରସ୍ତାନ କରୁଛନ୍ତି । ତେବେ ବୟସ୍କ ଓ ବୃଦ୍ଧ ଭକ୍ତମାନଙ୍କ ପାଇଁ ସ୍ୱତ୍ରନ୍ତ୍ର ସୁବିଧା ଯୋଗାଇ ଦେବା ଓ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରାଯାଇ ଦର୍ଶନ ବ୍ୟବସ୍ଥା କିଭଳି ତ୍ୱରାନିତ ହୋଇପାରିବ ସେ ଦିଗରେ ସେବାୟତମାନଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବ ସରକାର ସମୟରେ ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା ବେଶ ପ୍ରଶଂସନୀୟ ଥିବା ମତ ପ୍ରକାଶ ପାଇଛି ।
ଆଉ କେଇ ଘଣ୍ଟା ପରେ ନୂଆବର୍ଷ । ମହୋଦଧି କୂଳେ ସକାଳ ପ୍ରଥମ ସୂର୍ଯ୍ୟୋଦୟ ସହ ଶ୍ରୀମୁଖ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଜମିବ ପ୍ରବଳ ଗହଳି । ଗତ ଦୁଇ ଦିନଠାରୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ଏନେଇ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ ,୧୦ ଅତିରିକ୍ତ ଏସପି ,୩୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ହୋଇଛନ୍ତି ୬୨ ଇନ୍ସପେକ୍ଟର । ୨୪୫ ସଂଖ୍ୟାରେ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ପାହ୍ୟା କର୍ମଚାରୀ ମୁତୟନ ରହିବେ । ଏଥିସହିତ ୩୮ ଜଣ ଟ୍ରେନି ହାବିଲଦାର, କନଷ୍ଟେବଳଙ୍କ ସହ ୬୫୦ ଗୃହରକ୍ଷୀ ମୁତୟନ ହେବେ ।
ଅନ୍ୟପଟେ ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ିଗୁଡିକ ଜେଲ୍ ରୋଡ ଓ ଶରଧାବାଲି ପାର୍କିଂରେ ଗାଡ଼ି ରଖିବେ । କୋଣାର୍କ ପଟୁ ଆସୁଥିବା ଗାଡ଼ିଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ିଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି । ଆଜି ଓ ଆସନ୍ତା କାଲି ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପୁରୀ ସହରର ତିନୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଗାଡ଼ିଗୁଡିକୁ ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକ ସିସିଟିଭି ନଜରରେ ରହିଛି । ସେପଟେ ଆଜି କିଛି ଦିବ୍ୟାଙ୍ଗ ଓ ବୃଦ୍ଧା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଶେଷ ସୁବିଧା ପାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରଦ୍ଧାଳୁ ।
ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ଜାରି ରହିଛି । ଗହଳି ଯୋଗୁଁ ଅନେକ ଭକ୍ତ କଲବଲ ହେଉଥିବାବେଳେ ଦିବ୍ୟାଙ୍ଗ ଓ ବୃଦ୍ଧା ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବ ବର୍ଷ ଭକ୍ତମାନଙ୍କ ପାଇଁ ଏସି ସେଡ ପାଥ ୱେ ବ୍ୟବସ୍ଥା କରାଯାଇଥିବାବେଳେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ । କିନ୍ତୁ ଚଳିତବର୍ଷ କୌଣସି ବି କ୍ଷେତ୍ରରେ ସୁବିଧା ନପାଇ ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସମସ୍ତଙ୍କର ଅପେକ୍ଷା ସେହି ଜିରୋ ନାଇଟ୍ ମୁହୂର୍ତ୍ତକୁ ।