ITR ଭରିବାର ଶେଷ ସୁଯୋଗ, ନହେଲେ ଦେବାକୁ ପଡ଼ିବ ଏତେ ଟଙ୍କା ଫାଇନ୍

1 min read

ନନ୍ଦିଘୋଷ ବ୍ୟୁରୋ: ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଭରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ଅର୍ଥାତ ଆସନ୍ତାକାଲି । ଯଦି ଆପଣ ଏପର୍ଯ୍ୟନ୍ତ ITR ଫାଇଲ କରିନାହାନ୍ତି ତେବେ ଶୀଘ୍ର କରି ଦିଅନ୍ତୁ । କାରଣ ଶେଷ ତାରିଖ ପରେ ରିଟର୍ଣ୍ଣ ଫାଇଲ କରିବାରେ ଲାଗି ପାରେ ଜରିମାନା । ସରକାର ସମସ୍ତ ଟ୍ୟାକ୍ସ ପ୍ଲେୟରଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ସମୟ ପୂର୍ବରୁ ନିଜ ITR ଭରି ଦେବାକୁ । ନହେଲେ ସମସ୍ୟାରେ ପଡ଼ିପାରନ୍ତି । ତେବେ ITR ବିଳମ୍ବରେ ଭରିଲେ କେତେ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ଜାଣିଛନ୍ତି କି ? ଆସନ୍ତୁ, ଜାଣିବା ITR ସମୟରେ ନଭରିଲେ କେତେ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।

ଆୟକର ବିଭାଗ ସ୍ପଷ୍ଟ କରିଛି ITR ନଭରିବା କିମ୍ବା ସମୟରେ ନଭରିବା ଦ୍ବାରା ଫାଇନ୍ ଦେବାକୁ ପଡ଼ିବ । ଆୟକର ଆଇନ ଧାରା 234F ଅନୁସାରେ ଯେଉଁମାନେ ନିର୍ଦ୍ଧାରିତ ସମୟ ପରେ ରିଟର୍ଣ୍ଣ ଫାଇଲ କରିବେ ତାଙ୍କୁ ଫାଇନ ଦେବାକୁ ପଡ଼ିବ ।

ଯଦି ଆପଣଙ୍କ ବାର୍ଷିକ ରୋଜଗାର ୫ ଲକ୍ଷରୁ କମ ହୋଇଥିବ ଓ ଆପଣ ITR ଭରି ନଥିବେ ତେବେ ଆପଣଙ୍କୁ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।

ସେହିପରି ଯଦି ଆପଣଙ୍କ ବାର୍ଷିକ ରୋଜଗାର ୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ ତେବେ ଆପଣଙ୍କୁ ୫୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ପୂର୍ବରୁ ଏହି ଫାଇନ୍ ୧୦,୦୦୦ ଟଙ୍କା ଥିଲା । ଯାହାକୁ କମାଇ ୫୦୦୦ ଟଙ୍କା କରିଦିଆଯାଇଛି ।

ସେପ୍ଟେମ୍ବର ୧୫ ପରେ ବି ଭରି ପାରିବେ ITR

ଯଦି ଆପଣ ୧୫ ସେପ୍ଟେମ୍ବର ସୁଦ୍ଧା ITR ଫାଇନ କରିପାରିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଆସେସମେଣ୍ଟ ବର୍ଷ ଶେଷର ତିନି ମାସ ପୂର୍ବରୁ କିମ୍ବା ବର୍ଷ ଶେଷ ପୂର୍ବରୁ ଭରି ଦିଅନ୍ତୁ । ହେଲେ, ଏଥିରେ ଆପଣ ଫାଇନ୍ ଦେବାକୁ ବାଧ୍ୟ ।

ITR ଭରିବା ଦ୍ବାରା ଆପଣଙ୍କ ଟ୍ୟାକ୍ସ ପ୍ଲାନିଂ ଭଲ ହୋଇପାରିବ । ସମୟରେ ITR ଫାଇଲ ଦ୍ବାରା ଆପଣ ବିଭିନ୍ନ ସରକାରୀ ଲାଭ ସହ ରିଫଣ୍ଡର ବି ଫାଇଦା ପାଇପାରିବେ । ଏଥିପାଇଁ ଯଦି ଆପଣ ଏପର୍ଯ୍ୟନ୍ତ ITR ଫାଇଲ କରିନାହାନ୍ତି ତେବେ ଏହି କାମକୁ ପ୍ରାଥମିକତାର ସହ ଶେଷ କରନ୍ତୁ । ସମୟ ପୂର୍ବରୁ କାମ କରିବା ଦ୍ବାରା ଆପଣ ଫାଇନରୁ ବି ବର୍ତ୍ତି ଯିବେ ।