ପହଲଗାଓଁ ଆକ୍ରମଣ ମାମଲାରେ TRFର ୟୁଟର୍ଣ୍ଣ, କହିଲା ଆମେ କରିନୁ ଆକ୍ରମଣ
1 min read
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ଭାରତ ଆକ୍ସନରେ ପାକିସ୍ତାନ ଓ ପାକିସ୍ତାନୀ ସେନା ଦ୍ବାରା ପାଳିତ ଆତଙ୍କବାଦୀ ସଙ୍ଗଠନଙ୍କ ନିଦ ହଜିଛି । ଯେକୌଣସି ସମୟରେ ଭାରତ ବଡ଼ ଧମାକା କରିବା ସହ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ନିପାତ କରିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେଠାରୁ କହିଛନ୍ତି, ପାତାଳରେ ବି ଲୁଚିଲେ ଖୋଜି ଖୋଜି ମାରିବୁ, ଆତଙ୍କବାଦୀ ପ୍ରମାଦ ଗଣିବା ଆରମ୍ଭ କରି ଦେଇଛନ୍ତି । ଆଉ ଭୟ ଏତେ ଘାରିଛି ଯେ, ଯେଉଁ TRF (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ପହଲଗାଓଁ ଆକ୍ରମଣରେ ନିଜର ହାତ ଥିବା କହିଥିଲା ଏବେ ୟୁଟର୍ଣ୍ଣ ମାରିଛି ।
TRF ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ପହଲଗାଓଁ ଘଟଣାରେ ଆମର କୌଣସି ପ୍ରକାରର ସମ୍ପୃକ୍ତି ନାହିଁ । ଆମ ଡିଜିଟାଲ ପ୍ଲାଟଫର୍ମକୁ ହ୍ୟାକ କରି ଆକ୍ରମଣ ପାଇଁ ଦାୟୀ ବୋଲି ମେସେଜ କରାଯାଇଛି । ଏପରିକି ଭାରତୀୟ ଏଜେନ୍ସି ଷଡଯନ୍ତ୍ର କରିଥିବା ଓ ଏହାର ତଦନ୍ତ ଆରମ୍ଭ ହୋଇଥିବା TRF ପକ୍ଷରୁ କୁହାଯାଇଛି ।
ଭାରତକୁ ଏତେ ଭୟ ଯେ ଆତଙ୍କବାଦୀ ଆକ୍ରମଣ ପରେ ପରେ ଲସ୍କର ଏ ତୈୟବା ଡିପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀ ଏକ ଭିଡିଓ ଜାରି କରି ଏଥିରେ ତା’ର ହାତ ନଥିବା ସଫେଇ ଦେଇଥିଲା ।
TRFକୁ ଏବେ ଗୋଟିଏ ଭୟ ଗ୍ରାସିଛି ଭାରତ ସହ ପଙ୍ଗା ନେବା ତାକୁ ଭାରି ନପଡିଯାଉ । ଗତ ୨୪ ଘଣ୍ଟା ଭାରତ କାଶ୍ମୀରରେ ୭ ଜଣ ଆତଙ୍କବାଦୀଙ୍କୁ ଘେରିବା ସହ ସେମାନଙ୍କୁ ଠିକଣାରେ ଲଗାଇବାରେ ଲାଗିଛି । ଏକାଧିକ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଅନ୍ୟମାନଙ୍କର ସମଦଶା କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଯେମିତି ବି ହେଉ ଭାରତ ନିଶ୍ଚିତ ପ୍ରତିଶୋଧ ନେବ । ଏହି କାରଣରୁ TRF ୟୁ-ଟର୍ଣ୍ଣ ମାରିଛି ।