ଏସିଆର ସବୁଠୁ ବଡ଼ ବସ୍ତି ଏବେ କରୋନା ମୁକ୍ତ
ମୁମ୍ବାଇ: କରୋନା କାଳରେ ଅଶ୍ବସ୍ତିକର ଖବର । କରୋନାର ଦ୍ୱିତୀୟ ଲହରୀ ଦେଶର ମେରୁଦଣ୍ଡ ଭାଙ୍ଗି ଥିବା ବେଳେ ଏବେ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଲା ଭଳି ନଜର ଆସିଛି । ନିକଟରେ ଏକ କରୋନାର ହଟସ୍ପଟ ଭାବେ ଚିହ୍ନଟ ହେଉଥିବା ବେଳେ ଏବେ ସେ ସ୍ଥାନ ଏବେ କରୋନା ମୁକ୍ତ ହୋଇଛି । ଏସିଆର ସବୁଠୁ ବଡ଼ ବସ୍ତି ଏବେ କରୋନା ମୁକ୍ତ ହୋଇଛି । ମୁମ୍ବାଇରେ ଥିବା ଧରାଭି ବସ୍ତିରେ କରୋନା ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି। ଦିନେ କରୋନା ହଟସ୍ପଟ ଭାବେ ପରିଚିତ ଧରାଭିରେ ଗତ ୩ ଦିନରେ ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟା ଭିତରେ ଏହି ବସ୍ତିରେ କେହି ନୂଆ ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡିଛି । ମୁମ୍ବାଇର ବସ୍ତିବାସିନ୍ଦା କରୋନାକୁ ମାତ୍ ଦେବାରେ ସମର୍ଥ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନର ପ୍ରୟାସ ଓ ବସ୍ତିର ଲୋକମାନଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଧରାଭିରେ ମୋଟ୍ ସଂକ୍ରମଣ ମାମଲା ୬ ହଜାର ୮୨୯ ଥିବାବେଳେ ସେମାନଙ୍କ ଭିତରୁ ୬ ହଜାର ୪୫୧ ଜଣ ସୁସ୍ଥ ହୋଇଛନ୍ତି ।
ଚଳିତବର୍ଷ ଏପ୍ରିଲ ଆରମ୍ଭରୁ ଏଠାରେ କରେନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ସାଢ଼େ ୬ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ରହୁଥିବା ଏହି ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡ଼ିଥିଲା ମହାନଗର ନିଗମ । ଏବେ ମହାରାଷ୍ଟ୍ରର ପ୍ରାୟ ସବୁ ଜିଲ୍ଲାରେ କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ପାଇଛି । ତା ସାଙ୍ଗକୁ ଧରାଭି ବସ୍ତିରେ ବି ସଂକ୍ରମଣ କମିବା ଆଶ୍ବସ୍ତି ଆଣିଛି ।