ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି, ଲୁଟିନେଲେ ଅଧାକିଲୋ ସୁନା ଓ ୧୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ଅଭିଯୋଗ । ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲା ଲୁଟେରା । ଦମ୍ପତିଙ୍କୁ ତାଲା ପକାଇ ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି । ଚନ୍ଦକା ଥାନା ହରିପୁର ଗାଁରେ ଘଟିଛି ଏହି ଘଟଣା । ଘର ମାଲିକ ତଥା ଅବସରପ୍ରାପ୍ତ କିରାଣି ସତ୍ୟନାରାୟଣ ମିଶ୍ର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା ।

ଶନିବାର ରାତି ପ୍ରାୟ ୩ଟା ସମୟରେ ଲୁଟେରାମାନେ ପାଚେରି ଡେଇଁ ଘର ଭିତରେ ପ୍ରବେଶ କରିବା ସହିତ ଗ୍ୟାସ କଟର ସାହାଯ୍ୟରେ ଝରକା କାଟିଥିଲେ । ଘର ଭିତରକୁ ଯାଇ ସତ୍ୟନାରାୟଣ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ଘରକୁ ବାହାର ପଟରୁ ତାଲା ପକାଇ ଦେଇଥିଲେ । ଘରେ ଥିବା ଦୁଇଟି ଆଲମିରା ଲକ୍ ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ସୁନା ଚୁଡି, ମୁଦି, କାନଫୁଲ ଲୁଟି ନେଇଛନ୍ତି ଲୁଟେରା । ଜମି କିଣିବା ପାଇଁ ଆଲମିରାରେ ରଖିଥିବା ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି ଲୁଟେରା ।