ଶୀତର ପ୍ରକୋପ ଭିତରେ କମିବା ବଦଳରେ ବଢିଛି ପିକନିକ । ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ସଭିଏଁ ଧାଇଁ ଆସୁଛନ୍ତି ପ୍ରକୃତି କୋଳକୁ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ କନ୍ଧମାଳ ଦାରିଙ୍ଗବାଡ଼ିରେ ଜମୁଛି ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ । ଡୁଲୁରୀ ପାଇନ ବଣରେ ଭୋଜି ଭାତର ଆସର ସହ ନାଚ ଗୀତର ମଜା ନେଉଛନ୍ତି ଲୋକ । ଭୋଜି ଭାତ ପାଇଁ ପାଇନ ବଣ ମୁଖ୍ୟ ଆକର୍ଷଣ ସାଜିଛି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହ ଶୀତୁଆ ସକାଳର ଭରପୁର ମଜା ନେଉଛନ୍ତି । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ଆତ୍ମସନ୍ତୋଷ ଲାଭ କରୁଛନ୍ତି ପର୍ଯ୍ୟଟକ ।
ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ସହ ବଣଭୋଜିର ଆସର ଜମୁଛି। କିନ୍ତୁ ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷା ଓ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ।ବଣ ଭୋଜିର ପ୍ରମୁଖ ପେଣ୍ଠ ସ୍ଥଳୀ ପାଇନ୍ ଜଙ୍ଗଲରେ ଦେଖିବାକୁ ମିଳିଛି କୁଢ଼କୁଢ଼ ଆବର୍ଜନା । ଏହି ଅଳିଆ ଆବର୍ଜନା ଭିତରେ ଭୋଜି କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି।

