ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ । କେବଳ ଏତିକି ନୁହେଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଗସ୍ତ ଭଣ୍ଡୁର ଲାଗି ବି କରିଛନ୍ତି ଉଦ୍ୟମ । ଲଣ୍ଡନଗସ୍ତରେ ଥିବା ଜୟଶଙ୍କର ଉଚ୍ଚସ୍ତରୀୟ ଆଲୋଚନା ସାରି ଚେଟମ ହାଉସରୁ ବାହାରିବା ମାତ୍ରେ ଖଲିସ୍ତାନୀ ସମର୍ଥକ ନାରାବାଜି କରିବା ସହ ତାଙ୍କୁ ବିରୋଧ କରିଥିଲେ । ଭାରତୀୟ ପତାକାକୁ ସେମାନେ ଅସମ୍ମାନ ପ୍ରଦର୍ଶନ କରିବା ସହ ଚିରିଦେଇଥିଲେ । ଏହା ସହ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର୍ ଆଡକୁ ମାଡିଆସିଥିଲା । ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ତାକୁ ଅଟକ ରଖିଛି । ଚେଟମ ହାଉସରେ ଆଲୋଚନା ଚାଲିଥିବାବେଳେ ବି ଆନ୍ଦୋଳନରତ ଖଲିସ୍ତାନୀ ସମର୍ଥକମାନେ ବି ଖଲିସ୍ତାନ ସପକ୍ଷବାଦୀ ନାରାବାଜି କରିବା ଦେଖାଯାଇଥିଲା । ମାର୍ଚ୍ଚ ୪ରୁ ମାର୍ଚ୍ଚ ୯ ଯାଏ ବ୍ରିଟେନ ଗସ୍ତରେ ଅଛନ୍ତି ଜୟଶଙ୍କର । ଜୟଶଙ୍କର ଓ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡାଭିଡ ଲାମିଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ସହଯୋଗ, କୌଶଳଗତ ସମନ୍ବୟ, ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହା ସହ ବାଣିଜ୍ୟ, ଶିକ୍ଷା, ପ୍ରଯୁକ୍ତି ଓ ବୈଷୟିକ ସହଯୋଗ ସମ୍ପର୍କରେ ବି ଦୁଇ ନେତା ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ଯରେ ପାକିସ୍ତାନ ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି ।